Pm modi

ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତ, ୫ଟି ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ସହ ମଜବୁତ ହେବ ସଂପର୍କ

ଦେଶ - ବିଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬ ଦିନିଆ ବିଦେଶ ଗସ୍ତରେ ରହିଛନ୍ତି । ୫ଟି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରଥମେ ୟୁଏଇରୁ ଆରମ୍ଭ ହେବ । ଗସ୍ତର ପ୍ରଥମ ପର୍ଯ୍ୟାୟରେ ପିଏମ୍ ମୋଦି ଆବୁଧାବିରେ ପହଞ୍ଚି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କୁ ଭେଟିବେ । ଶକ୍ତି ସୁରକ୍ଷା, ବାଣିଜ୍ୟ ଏବଂ ପ୍ରାୟ ୪୫ ଲକ୍ଷ ଭାରତୀୟ ପ୍ରବାସୀଙ୍କ କଲ୍ୟାଣ ନେଇ ଆଲୋଚନା କରିବେ । ୟୁଏଇ ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟିକ ଭାଗିଦାରୀ । ଏଠାରେ ନୂତନ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି ।

ରବ୍ ଜେଟେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ନେଦରଲ୍ୟାଣ୍ଡ ଗସ୍ତ କରିବେ । ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଗ୍ରୀନ ହାଇଡ୍ରୋଜେନ ଏବଂ ଜଳ ପରିଚାଳନା ପ୍ରସଙ୍ଗ ଉପସ୍ଥାପନା ହେବ । କିଙ୍ଗ ୱିଲେମ-ଆଲେକ୍ସଜାଣ୍ଡାରଙ୍କ ସହ ସାକ୍ଷାତକାର ଏବଂ ବାଣିଜ୍ୟିକ ନିବେଶ ଉପରେ ଗୁରୁତ୍ୱାରୋପ ହେବ । ଗୋଥେନବର୍ଗରେ ପିଏମ୍ ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଗ୍ରୀନ ଟ୍ରାଞ୍ଜିସନ, ଏଆଇ (AI), ଷ୍ଟାର୍ଟଅପ୍ ଏବଂ ମହାକାଶ ବିଜ୍ଞାନ ନେଇ ଏଜେଣ୍ଡା ରହିବ ।

ୟୁରୋପୀୟ କମିଶନ ଅଧ୍ୟକ୍ଷାଙ୍କ ସହ ଏକ ଶିଳ୍ପ ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି । ସେଠାରୁ ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନରୱେ ଗସ୍ତ । ଓସଲୋରେ ସେ ତୃତୀୟ ଭାରତ-ନର୍ଡିକ ସମ୍ମିଳନୀରେ ଯୋଗଦେବେ । ସଦସ୍ୟ ଦେଶ ନରୱେ, ସ୍ୱିଡେନ, ଡେନମାର୍କ, ଫିନଲ୍ୟାଣ୍ଡ ଏବଂ ଆଇସଲ୍ୟାଣ୍ଡ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବ୍ଲୁ-ଇକୋନୋମି, ଆର୍କଟିକ ଅଞ୍ଚଳରେ ସହଯୋଗ ଏବଂ ଅକ୍ଷୟ ଶକ୍ତି ରହିବ ମୁଖ୍ୟ ଏଜେଣ୍ଡା ।

ଶେଷ ପର୍ଯ୍ୟାୟରେ ମୋଦି ରୋମ୍ ଗସ୍ତ କରି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ରଣନୈତିକ ଆଲୋଚନା କରିବେ । ପ୍ରତିରକ୍ଷା ସହଯୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ୨୦୨୫-୨୦୨୯ ପାଇଁ ଜଏଣ୍ଟ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ରହିବ ମୁଖ୍ୟ ଏଜେଣ୍ଡା । ଏହି ଗସ୍ତ କେବଳ ବାଣିଜ୍ୟିକ ନୁହେଁ ବରଂ ବର୍ତ୍ତମାନର ବିଶ୍ୱ ଭୂ-ରାଜନୈତିକ ସ୍ଥିତିରେ ଭାରତର ସ୍ଥିତିକୁ ଆହୁରି ଦୃଢ଼ କରିବ । ବିଶେଷ କରି ଉଚ୍ଚ ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଓ ୟୁରୋପ ମଧ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ।