IMG 20260513 WA0223

ମୟୂରଭଞ୍ଜରେ ତିନି ଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ନିର୍ମାଣ ଓ ବିପଣନ ଜ୍ଞାନ କୌଶଳ ବୃଦ୍ଧି କର୍ମଶାଳା ଉଦଘାଟିତ

ରାଜ୍ୟ
ବାରିପଦା : ଓରମାସ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ବାରିପଦା ଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଦକ୍ଷତା ନିର୍ମାଣ ଓ ବିପଣନ ଜ୍ଞାନ କୌଶଳ ବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି। ଗ୍ରାମୀଣ ଜୀବିକାର ସୁଦୃଢିକରଣ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ସଶକ୍ତିକରଣ, ବିପଣନ କ୍ଷମତା ବୃଦ୍ଧି ଏବଂ ଉତ୍ପାଦିତ ସାମଗ୍ରୀକୁ ବ୍ୟାପକଭାବେ ବଜାରକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହା ଆୟୋଜନ କରାଯାଇଛି ।
ଉଦଘାଟନୀ ସମାରୋହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋକନାଥ ମିଶ୍ର, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଟଙ୍କଧର କଲୋ, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ଦିନେଶ ହୋତା, ସାମାଜିକ କଲ୍ୟାଣ ଅଧିକାରିଣୀ, ସହକାରୀ ନିର୍ଦ୍ଦେଶକ ବୟନଶିଳ୍ପ ହସ୍ତଶିଳ୍ପ ପ୍ରମୋଶନ ଅଧିକାରୀ ଶ୍ରୀକାନ୍ତ ନାୟକ, ପ୍ରୋଗ୍ରାମ ମ୍ୟାନେଜର (ଜୀବିକା) ଜିଲ୍ଲା ପରିଷଦ ମଧୁସ୍ମିତା ଭୂୟାଁ, ଏବଂ ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ ଉପସ୍ଥିତ ରହି କର୍ମଶାଳାର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଘମାନେ ଗ୍ରାମୀଣ ଅର୍ଥନୀତିର ମୂଳଭିତ୍ତି ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ଯଥୋଚିତ ବଜାର ସଂଯୋଗ, ଉନ୍ନତ ବିପଣନ ବ୍ୟବସ୍ଥା, ଗୁଣାତ୍ମକ ପ୍ୟାକେଜିଂ ଓ ବ୍ରାଣ୍ଡିଙ୍ଗ ସୁବିଧା ପ୍ରଦାନ କରାଯାଇପାରିଲେ ଗ୍ରାମୀଣ ମହିଳା ଓ କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଦୃଶ୍ୟମାନ ପରିବର୍ତ୍ତନ ଆଣିହେବ । ଏହି ପରିପ୍ରେକ୍ଷୀରେ ଏଭଳି କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ବ୍ୟବସାୟିକ ଦକ୍ଷତା ଓ ବଜାରମୁଖୀ ଜ୍ଞାନ ପ୍ରଦାନରେ ସହାୟକ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ ।
ଏହି କର୍ମଶାଳାରେ ଓରମାସ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଉଦ୍ୟୋଗ, ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂଘର କାର୍ଯ୍ୟକାରୀ ସଦସ୍ୟ ଓ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ । କର୍ମଶାଳା ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ବଜାର ଚାହିଦା ଅନୁଯାୟୀ ଉତ୍ପାଦ ପ୍ରସ୍ତୁତି, ବିକ୍ରୟ କୌଶଳ, ଡିଜିଟାଲ ବିପଣନ, ଆର୍ଥିକ ପରିଚାଳନା, ବ୍ରାଣ୍ଡିଙ୍ଗ ଏବଂ ଗ୍ରାହକ ସଂଯୋଗ ଭଳି ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯିବ ।
କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିପଣନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ବିପଣନ କ୍ଷମତା ବୃଦ୍ଧି କରିବା ଏବଂ ଉଦ୍ୟମ ପରିଚାଳନା ସମ୍ପର୍କିତ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା। ଏହା ସହିତ ଉତ୍ତମ ବଜାର ସଂଯୋଗ, ନିରବିଚ୍ଛିନ୍ନ ପ୍ରଚେଷ୍ଟା ଏବଂ ସଂଗଠିତ ପରିଚାଳନା ମାଧ୍ୟମରେ ସ୍ଥାୟୀ ଜୀବିକା ସୃଷ୍ଟିର ସୁପରିକଳ୍ପନା ଉପରେ ମଧ୍ୟ ବିଶେଷ ଆଲୋଚନା କରାଯିବ।
ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କର୍ମଶାଳାରେ ବିପଣନ ସଚେତନତା, ବଜାର ସଂଯୋଗ ସୃଷ୍ଟି, ଉଦ୍ୟମ ପରିଚାଳନା ଏବଂ ଆର୍ଥିକ ସଶକ୍ତିକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ। ଗ୍ରାମୀଣ ଅଞ୍ଚଳର ଉଦ୍ୟମୀମାନଙ୍କୁ ସ୍ୱାବଳମ୍ବୀ କରିବା ସହ ସେମାନଙ୍କ ଉତ୍ପାଦକୁ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆବଶ୍ୟକ ଦିଗ ଓ ପ୍ରାୟୋଗିକ ଜ୍ଞାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଓରମାସର ସମସ୍ତ ଜିଲ୍ଲା ଅଧିକାରୀଙ୍କ ଉପସ୍ଥିତିରେ କର୍ମଶାଳାଟି ସୁଚାରୁରୂପେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀ ମାନେ ଏହିପରି ପ୍ରଶିକ୍ଷଣମୂଳକ କର୍ମଶାଳା ଗ୍ରାମୀଣ ଉଦ୍ୟମ ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟିରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ଏଥିରେ ଓରମାସର ସମସ୍ତ ଅଧିକାରୀ ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।