ଉତ୍ତରପ୍ରଦେଶ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବରେ ମୃତ ଘୋଷଣା କରିଥିଲେ । ପ୍ରତୀକ ଯାଦବ ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ଥିଲେ । ପ୍ରତୀକ ଯାଦବ ସ୍ବର୍ଗତ ମୁଲାୟମ ସିଂହ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନାଙ୍କ ପୁଅ ।
ଅପର୍ଣ୍ଣା ବର୍ତ୍ତମାନ ମହିଳା କମିଶନର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସୂଚନା ଅନୁଯାୟୀ, ପ୍ରତୀକଙ୍କୁ ସକାଳ ୫.୫୫ ରେ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତାଙ୍କ ଶରୀରକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଏବଂ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପୁଅ ଏବଂ ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ, ପ୍ରତୀକ ଯାଦବଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରତୀକ ଯାଦବଙ୍କୁ ଅସୁସ୍ଥତା ଯୋଗୁଁ ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି ସମ୍ପର୍କରେ ରହିବା ପରେ, ଅପର୍ଣ୍ଣା ଏବଂ ପ୍ରତୀକ ୨୦୧୨ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
