IMG 20260428 WA0211

ମହିଳା ସଂରକ୍ଷଣ ବିଲର ବିରୋଧକୁ ବିଜେପି ନାରୀନେତ୍ରୀଙ୍କ ତୀବ୍ର ନିନ୍ଦା

ରାଜ୍ୟ
ବାରିପଦା: ନିକଟରେ ଦେଶର ସଂସଦରେ ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ-2026)କୁ ଇଣ୍ଡି-ମେଣ୍ଟ-ଭୁକ୍ତ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ବିରୋଧକୁ ବିଜେପି ନାରୀନେତ୍ରୀମାନେ ତୀବ୍ର ନିନ୍ଦା କରିଛନ୍ତି। ବିରୋଧୀ ଦଳଗୁଡିକର ଏହି ବିରୋଧରୁ ଏମାନଙ୍କ ମୁଖା ଖୋଲିଯାଇଛି ଏବଂ ଏମାନଙ୍କ ମହିଳା-ବିରୋଧୀ ମନୋଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ଏହି ମହିଳା ବିଲ-ସପକ୍ଷବାଦୀ ବିଜେପି ନାରୀନେତ୍ରୀମାନେ   ପ୍ରକାଶ କରିଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ବିଜେପି ମୟୂରଭଞ୍ଜ (ପୂର୍ବ) ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଦିନ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ଏବଂ ବିଜେପି ରାଜ୍ୟ ଉପସଭାନେତ୍ରୀ ତଥା ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ସିପ୍ରା ବାଜପେୟୀ ଏଥିରେ ଯୋଗ ଦେଇ ଏହି ମର୍ମରେ ନିଜର ମତ ବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଶୋଭାବତୀ ଓତା, ସୁଜାତା ମୁର୍ମୁ, ସୁମନ ସିଂ, ସରୋଜିନୀ କିସ୍କୁ, ମମତା ମଣ୍ଡଳ ପ୍ରମୁଖ ନାରୀନେତ୍ରୀମାନଙ୍କ ସାଙ୍ଗକୁ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରମୁଖ ଯୋଗ ଦେଇ ମହିଳା ସଂରକ୍ଷଣ ବିଲ ସପକ୍ଷରେ ସାମ୍ବାଦିକମାନଙ୍କ ସମ୍ମୁଖରେ ନିଜ ନିଜର ମତ ରଖିଥିଲେ ।
ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ  ବିଜେପି ଜିଲ୍ଲା ପ୍ରବକ୍ତା ନରୋତ୍ତମ ପାଣିଗ୍ରାହୀ ଓ ବାରିପଦା ବିଜେପିର ଅନ୍ୟତମ ନେତା ବୀରକିଶୋର ପଟ୍ଟନାୟକ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।