ମୁମ୍ବାଇ : ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଜଣେ ୩୧ ବର୍ଷୀୟ ଯୁବକ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ”କଲମା” ପଢ଼ିବାକୁ ବାଧ୍ୟ କରିବା ସହ ନିର୍ମମ ଭାବେ ଛୁରାମାଡ଼ କରିଛି । ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ ଯୁବକଙ୍କୁ ଗିରଫ କରି ମୁମ୍ବାଇ ଏଟିଏସକୁ ହସ୍ତାନ୍ତର କରିଛି । ଏହାକୁ ଏକ ”ଲୋନ୍ ଉଲ୍ଫ” ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରୁଛି । ଗିରଫ ଯୁବକଙ୍କ ପାଖରୁ ଏକ ନୋଟ୍ ମିଳିଛି । ଏଥିରେ ଆଇଏସଆଇଏସ୍, ଲୋନ ଉଲ୍ଫ, ଜିହାଦ ଏବଂ ଗାଜା ଭଳି ଶବ୍ଦ ଲେଖାଯାଇଛି ।
ଖବର ମୁତାବକ, ରବିବାର ନୟା ନଗରରେ ଜଣେ ଯୁବକ ଦୁଇ ସୁରକ୍ଷାକର୍ମୀଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ । ଯୁବକ ଜଣକ ପ୍ରଥମେ ନାମ ଓ ଧର୍ମ ପଚାରିଥିଲେ, ଆଉ କଲମା ପଢିବାକୁ କହିଥିଲେ । ଏହାପରେ ଦୁଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ସୁରକ୍ଷାକର୍ମୀ ରାଜକୁମାର ମିଶ୍ର ଓ ସୁବ୍ରତ ସେନ୍ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ରାଜକୁମାରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁଇ ଗାର୍ଡ ଏକ ନିର୍ମାଣାଧୀନ ବିଲିଡିଂରେ ଡ୍ୟୁଟିରେ ଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତାଙ୍କ ନାମ ଜୁବୈର ଅନସାରୀ ବୋଲି ଜଣାପଡିଛି ।
ଅଭିଯୁକ୍ତ ଅନସାରୀ ଜଣେ ବିଜ୍ଞାନ ସ୍ନାତକ ଏବଂ ପୂର୍ବରୁ ଆମେରିକାରେ ରହୁଥିଲେ । ୨୦୧୯ରେ ଭାରତ ଫେରିବା ପରେ ସେ ଅନଲାଇନ୍ କୋଚିଂ ଦେଉଥିଲେ । ଗିରଫ ପରେ ବର୍ତ୍ତମାନ ଅଦାଲତ ଅଭିଯୁକ୍ତକୁ ମେ’ ୪ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଥିବା ବେଳେ ତାଙ୍କର ଡିଜିଟାଲ୍ ଡିଭାଇସ୍ ଗୁଡ଼ିକର ଯାଞ୍ଚ ଜାରି ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ମିଳିଥିବା ନୋଟର ଯାଞ୍ଚ କରୁଛି ।
