କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା କରିଛନ୍ତି ।
ସୂଚନା ଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଉଚ୍ଚବାଲି, କେନ୍ଦୁଝର ପାଇଁ ସବ ଷ୍ଟେସନ ସମେତ ୫ ଟି ନୂଆ ଟ୍ରାନ୍ସମିଶନ ଲାଇନ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ । ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରକଳ୍ପର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ ସମଗ୍ର ଅଞ୍ଚଳକୁ ଏକ ସୁଦୃଢ଼ ନେଟୱର୍କରେ ଯୋଡ଼ିବା ନେଇ ସେ ଦର୍ଶାଇଛନ୍ତି ଯେ, ୪୦୦ କେଭି LILO ଲାଇନ ସହିତ TTPS-ଯୋଡ଼ା ଓ ତୁରୁମୁଙ୍ଗା-ରାଇରଙ୍ଗପୁର ଲାଇନ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗୀକରଣ କରାଯିବ। ଏହା ଦ୍ୱାରା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯାଇପାରିବ।
ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡ୍ର ଉନ୍ନତିକରଣ ଆମର ପ୍ରାଥମିକତା। ଆମେ Hotline Maintenance ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛୁ, ଯାହାଦ୍ୱାରା ତାରରେ ବିଦ୍ୟୁତ୍ ପ୍ରବାହିତ ହେଉଥିବା ସମୟରେ ମଧ୍ୟ ମରାମତି କାମ କରାଯାଇପାରିବ। ଏଣିକି ମରାମତି ପାଇଁ ଆଉ ବିଦ୍ୟୁତ୍ କାଟ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ।”
ରାଜ୍ୟର ବିଦ୍ୟୁତ୍ ପରିଚାଳନା ପ୍ରଣାଳୀକୁ ସ୍ମାର୍ଟ କରିବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, “ଆମେ ଓଡ଼ିଶାକୁ ଡିଜିଟାଲାଇଜେସନ ଦିଗରେ ଆଗେଇ ନେଉଛୁ। ମଞ୍ଚେଶ୍ୱରଠାରେ ନିର୍ମିତ ନୂତନ State Load Despatch Centre (SLDC) ରାଜ୍ୟର ବିଦ୍ୟୁତ୍ ପରିଚାଳନା ପାଇଁ ‘ହାର୍ଟ’ ସଦୃଶ କାର୍ଯ୍ୟ କରିବ। ଏହାସହ STAMS ପ୍ରକଳ୍ପ ଜରିଆରେ ୭୦ଟି ଗ୍ରୀଡ୍କୁ ରିମୋଟ୍ ମାଧ୍ୟମରେ ପରିଚାଳନା କରାଯାଇ ତ୍ରୁଟିଗୁଡ଼ିକର ତୁରନ୍ତ ସମାଧାନ କରାଯିବ।
