ବାରିପଦା : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନାଟ୍ୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ନାଟକ ମଣିଷର ସାମାଜିକ ଚଳଣିକୁ ପ୍ରଭାବିତ କରିଥାଏ ବୋଲି ପ୍ରକାଶ କରିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ନାଟକ ସମାଜର ଦର୍ପଣ ଭାବେ କାର୍ଯ୍ୟ କରିଥାଏ ବୋଲି ନିଜର ମତପୋଷଣ କରିଥିଲେ|
ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର ନାଟକର ଇତିହାସ ଉପରେ ଆଲୋକପାତ କରିଥିଲେ I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ଅସିତ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ I ଓଡିଶା ନାଟ୍ୟ ସଂଘର ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ପଣ୍ଡା ପ୍ରଖ୍ୟାତ ନାଟ୍ୟକାର ଉଇଲେମ ଡାଫୋଙ୍କ ବିଶ୍ୱ ନାଟ୍ୟ ଦିବସ ସନ୍ଦେଶ – ୨୦୨୬ ପାଠକରିଥିଲେ I ଏହି ଅବସରରେ ରାଜ୍ୟସ୍ତରୀୟ “ରବୀନ୍ଦ୍ର ସମ୍ମାନ’ ରେ ସମ୍ମାନିତ ହୋଇଥିବା ବିଶିଷ୍ଟ ଅଭିନେତା, ନାଟ୍ୟକାର, ମଞ୍ଚ ଓ ସିନେ ନିର୍ଦ୍ଦେଶକ ତଥା ବାରିପଦା କଳାକାର ପରିବାରର ଉପଦେଷ୍ଟା ଚିନ୍ମୟ ଦାସ ପଟ୍ଟନାୟକଙ୍କୁ କଳାକାର ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା|
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଡଃ କୁମରମଣି ନାୟକ, ଉପଦେଷ୍ଟା ଶ୍ରୀ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଆଶିଷ କୁମାର ବସା ପ୍ରମୁଖ ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିବାସହ ବାରିପଦାରେ ମଞ୍ଚ ନାଟକ ପ୍ରତି ଦର୍ଶକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି ବୋଲି ପ୍ରକାଶ କରିଥିଲେ I
