ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଚୈତ୍ର ପର୍ବ -୨୦୨୬ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏପ୍ରିଲ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚୈତ୍ର ପର୍ବ ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜନ ହେବ । ଓରମାସ୍ ତଥା ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ପକ୍ଷରୁ ଆୟୋଜନ ହେବାକୁ ଥିବା ଏହି ପଲ୍ଲିଶ୍ରୀ ମେଳାରେ ପ୍ରାୟ ୧୦୦-୧୫୦ ମଧ୍ୟରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ଖୋଲିବାକୁ ଯୋଜନା ହୋଇଅଛି ।ୟ
ଏଥି ସହ ଛଉ ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବା ନିମନ୍ତେ ଛଉ ନୃତ୍ୟରେ ବ୍ୟବହୃତ ହେଉଥିବା ଅଳଙ୍କାର, ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ । ସେହିପରି ଛଉ ନୃତ୍ୟ ସମ୍ବନ୍ଧୀୟ ବିଭିନ୍ନ କୁଇଜ୍ ପ୍ରତିଯୋଗିତା ଆୟୋଜନ ହେବ । ଏତତ୍ ବ୍ୟତୀତ ବିଭିନ୍ନ ଅଞ୍ଚଳର ଖାଦ୍ୟ ଷ୍ଟଲ ଖୋଲିବା ସହ ଦେଶୀୟ ଖାଦ୍ୟ ଷ୍ଟଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ ପାଇଁ ବିଭିନ୍ନ ଉତ୍ସର୍ଗୀକୃତ ଷ୍ଟଲ୍ ଆୟୋଜନ ହେବ । ଏହି ଅବସରରେ ଫୁଟବଲ, ସଂଗୀତ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବାକୁ ଆଲୋଚନା ହୋଇଛି ।
ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା, ପିଏ ଆଇଟିଡିଏ ଶ୍ରୀ ପ୍ରଣୟ ରଞ୍ଜନ ବେହେରା, ଓରମାସ୍ ଡେପୁଟି ସିଇଓ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
