ବାରିପଦା : ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ସହାୟତାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ଓ ଜନଜାତି ଅଧ୍ୟୟନ ବିଭାଗ ତରଫରୁ ଏକ ପ୍ରାଗଐତିହାସିକ ଯୁଗୀୟ ଆଠ ଦିନିଆ କର୍ମଶାଳା କୁଳିଅଣା ଠାରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଶର୍ମା ସେଣ୍ଟର ଫୋର୍ ହେରିଟେଜ ଏଜୁକେସନ ସେଣ୍ଟର ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ପୁରୀ ସର୍କଲ ମିଳିତ ସହଯୋଗରେ ଆୟଜିତ କରିଥିଲେ। ଆଜି ଏହି ଆଠ ଦିନିଆ କର୍ମଶାଳା ଉଦଯାପିତ ହୋଇଥିଲା ଏଥିରେ ଜାତୀୟ ମନୁମେଣ୍ଟ ଓଥିରିଟିର ପୂର୍ବତନ ଚେୟାରମେନ ତଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବାସା,ବୀରବଲ ସାହାନୀ ପାଲିଓସାଇନ୍ସ ଅନୁଷ୍ଠାନ ର ବୈଜ୍ଞାନିକ ଡ଼ଃ ଅଞ୍ଜଳୀ ତ୍ରିବେଦୀ, ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶକ ଡ଼ଃ ଦେବଜାନୀ ଭୂୟାଁ , ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ, ବିଶ୍ଵବିଦ୍ୟାଳୟ ପିଏମ୍ ଉଷା ନୋଡାଲ ଅଫିସର ପ୍ରଫେସର ଇନ୍ଦ୍ରଜିତ ନାଏକ, ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ଏବଂ ଜନଜାତି ବିଭାଗ ର ଆସୋସିଏଟ ପ୍ରଫେସର ଡଃ ବସନ୍ତ କୁମାର ମହାନ୍ତ ଏବଂ ଡ଼ଃ ଭୁବନେଶ୍ୱର ଶବର ଯୋଗଦାନ କରି କର୍ମଶାଳାକୁ ଉଦଯାପିତ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ଏବଂ ଜନଜାତି ବିଭାଗ, ଇତିହାସ ବିଭାଗ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ନୃତତ୍ତ୍ୱ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗଙ୍ଗାଧର ବିଶବବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଅଂଶଗ୍ରହଣ କରିଥିଲେ। ଏହି ଆଠଦିନିଆ କର୍ମଶାଳା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଠାରେ ଲୁଚି ରହିଥିବା ପ୍ରାଗଐତିହାସିକ ଯୁଗର ସାମଗ୍ରୀର ପୁନଃଜୀବିତ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସପ୍ତାହବ୍ୟାପୀ କର୍ମଶାଲାରେ ଯୋଗଦେଇ , ପ୍ରଫେସର ଶାନ୍ତି ପାପୁ ତାମିଳନାଡୁର ପ୍ରାଗଐତିହାସିକ ସଂସ୍କୃତି ସହିତ କୁଳିଅଣାର ପ୍ରାଗଐତିହାସିକ ସଂସ୍କୃତିର ସମାନତା ଥିବାର ମତ ପ୍ରକାଶ କରିଥିଲେ। ପୁରାସଂସ୍କୃତିୟ ଉଦ୍ଭିଦ ବିଜ୍ଞାନୀ ଡ଼ଃ ଅଞ୍ଜଳୀ ତ୍ରିବେଦୀଙ୍କ ମତାନୁସାରେ, ପୁରାସଂସ୍କୃତିୟ ଉଦ୍ଭିଦର ପ୍ରମାଣ ମିଳିବା ଉଦ୍ଦେଶ୍ୟରେ ଏହି (କୁଳିଅଣା) ଅଞ୍ଚଳରୁ ମାଟିର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟସ୍ଥିତ ଭୂତତ୍ତ୍ୱ ବିଜ୍ଞାନୀ ପ୍ରଫେସର ଶ୍ରୀରୂପ ଗୋସ୍ୱାମୀଙ୍କ ଅନୁସାରେ, କୁଳିଅଣା ଅଞ୍ଚଳରେ ଏକ ପ୍ରାଚୀନ ଲୁପ୍ତ ନଦୀ କିମ୍ବା ଜଳସ୍ରୋତର ପ୍ରମାଣ ଥିବାର ସମ୍ଭାବନା ରହିଛି। ଏହି ଅଞ୍ଚଳରୁ ପ୍ରାଚୀନ ଯୁଗୀୟ ସଂସ୍କୃତିର ସମୟକାଳ ତଥା ଗଛପତ୍ର, ପରିବେଶ ଓ ପାରିବେଶିକ ପରିସ୍ଥିତିର ବୈଜ୍ଞାନିକ ପ୍ରମାଣ ପାଇବା ଉଦ୍ଦେଶ୍ୟରେ କାମତାସ୍ଥିତ ପୁରାତତ୍ତ୍ୱ ଉତ୍ଖନନ ସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଇଛି, ଯାହାକୁ ଭାରତର ବିଭିନ୍ନ ବୈଜ୍ଞାନିକ ସଂସ୍ଥାମାନଙ୍କ ପାଖକୁ ପଠାଇବା ପାଇଁ ଯୋଜନା କରାଯାଇଛି। ଏହି ଉତ୍ଖନନରୁ ମିଳିଥିବା ପ୍ରାଗଐତିହାସିକ ଯୁଗୀୟ ସଂସ୍କୃତିର ପ୍ରମାଣଗୁଡ଼ିକର ପରୀକ୍ଷା ଫଳାଫଳ ଆସିବା ପରେ, ଏହି କୁଳିଅଣା ଅଞ୍ଚଳ କେବଳ ଭାରତରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କରିପାରିବ ବୋଲି ଭାରତୀୟ ଜାତୀୟ ସ୍ମାରକ ପ୍ରାଧିକାରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୁରାତତ୍ତ୍ୱବିଦ ଡ଼ଃ ବସନ୍ତ କୁମାର ମହାନ୍ତ ତଥା କୁଳିଅଣା ଅଞ୍ଚଳର ପ୍ରାଗଐତିହାସିକ ଓ ପୁରାତତ୍ତ୍ୱ ବିଷୟର ଗବେଷକ ମନୁ ନାୟକ ବିଶ୍ୱାସ ବ୍ୟକ୍ତ କରିଛନ୍ତି।
କୁଳିଅଣା ଠାରେ ୧୯୪୮ ମସିହାରେ ପ୍ରସ୍ତର ଯୁଗର ପ୍ରଥମେ କୋଲକାତା ବିଶ୍ୱବିଦ୍ୟାଳୟର ନିର୍ମଳ ବୋଷ ଓ ଧରଣୀ ସେନ ଉତଖନନ କରିଥିଲେ, ଯାହାକି ମୟୂରଭଞ୍ଜ ଓଡ଼ିଶାର ପୁରାତତ୍ତ୍ୱ ଇତିହାସରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଞ୍ଚଳ ଭାବେ ପରିଚିତ। ପୂର୍ବରୁ ଏଠାରେ ସାର୍କ ପୋସିଲ୍ ଇତ୍ୟାଦି ମିଳିଥିବାବେଳେ ପ୍ରସ୍ତର ଯୁଗର ରହସ୍ୟ ଉନ୍ମୋଚିତ ହୋଇଥିଲା । ମୟୂରଭଞ୍ଜର ବିଭିନ୍ନ ସ୍ଥାନ ବିଶେଷକରି ଶିମିଳିପାଳର ଆଖପାଖ ଅଞ୍ଚଳ, କୁଳିଅଣା ଓ ବୁଢାବଳଙ୍ଗ ନଦୀ ଅବବାହିକାରୁ ମିଳିଥିବା ପ୍ରସ୍ତର ହତିଆର ଓ ଅନ୍ୟାନ୍ୟ ଅବଶେଷ ନିମ୍ନ ପ୍ରସ୍ତର ଯୁଗରୁ ଆରମ୍ଭ କରି ମଧ୍ୟପ୍ରସ୍ତର ଯୁଗ ଓ କେତେକ ସ୍ଥଳରେ ଉଚ୍ଚ ପ୍ରସ୍ତର ଯୁଗ ଓ ମେସୋଲିଥିକ୍ ଯୁଗ ସହିତ ନୂତନ ପ୍ରସ୍ତର ଯୁଗ ସମ୍ପର୍କିତ ବୋଲି ପୁରାତତ୍ତ୍ବବିଦ ମତ ରଖୁଛନ୍ତି । ଏହି ଅବଶେଷର ଆନୁମାନିକ ବୟସ ପ୍ରାୟ ଅଢେଇ ଲକ୍ଷ ବର୍ଷର ବୋଲି କୁହାଯାଉଛି। ଏହା ଏହି ଅଞ୍ଚଳରେ ମାନବ ବାସର ଦୀର୍ଘ ଐତିହାସିକ ପରମ୍ପରାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ପ୍ରାଚୀନ କାଳରେ ଶିମିଳିପାଳ, କୁଳିଅଣା ତଥା ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକା ଓ ମଧ୍ୟଭାଗରେ ପ୍ରାଗ୍-ଐତିହାସିକ ମାନବ ବାସ ପାଇଁ ବିଶେଷ ଭାବେ ଉପଯୁକ୍ତ ଥିଲା | ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ସମ୍ପଦ, ଘନ ଜଙ୍ଗଲ, ଶିକାର ଯୋଗ୍ୟ ପଶୁପକ୍ଷୀ ଓ ପ୍ରସ୍ତର ହତିଆର ତିଆରି ପାଇଁ ଆବଶ୍ୟକ କ୍ୱାର୍ଟଜାଇଟ୍, କ୍ୱାର୍ଟଜ୍ ପରି କଞ୍ଚାମାଲ ସହଜରେ ମିଳିପାରୁଥିଲା ।
