ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲ୍ପିଜି ଯୋଗାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ଗତ କିଛିଦିନ ହେଲା ଭାରତରେ ଏଲ୍ପିଜି ବ୍ୟବହାରକାରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସ୍ଥିତିରେ ସରକାର ଏଲ୍ପିଜି ଉପଭୋକ୍ତାଙ୍କୁ ଗ୍ୟାସ ଏଜେନ୍ସିଗୁଡ଼ିକୁ ନଯାଇ ଅନଲାଇନ୍ରେ ବୁକିଂ କରିବାକୁ ପରାମର୍ଶ ଦେଇଥିଲେ। ଫଳସ୍ବରୂପ ଅନଲାଇନ୍ରେ ଗ୍ୟାସ ବୁକିଂ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି।ସେ କହିଛନ୍ତି, ବର୍ତ୍ତମାନର ଭୂରାଜନୈତିକ ପରିସ୍ଥିତିରେ ଏଲ୍ପିଜି ସଂକଟ ସରକାରଙ୍କ ପାଇଁ ଚିନ୍ତାଜନକ ରହିଛି। ଏହା ସତ୍ତ୍ବେ ଘରୋଇ ଏଲ୍ପିଜି ଗ୍ରାହକମାନେ ଗ୍ୟାସ୍ ପାଉଛନ୍ତି ଏବଂ କୌଣସି ଏଜେନ୍ସିରେ ଗ୍ୟାସ୍ ସଂପୂର୍ଣ୍ଣ ଖାଲି ହୋଇଯାଇ ନାହିଁ। ଯେଉଁସବୁ ଉତ୍ସରୁ ସମ୍ଭବ ସେଠାରୁ ଏଲ୍ପିଜି ଆଣିବା ଏବଂ ଘରୋଇ ଯୋଗାଣକୁ ବଢ଼ାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ଭାରତରେ ଯଥେଷ୍ଟ ମାତ୍ରାରେ ଅଶୋଧିତ ତେଲ ରହିଛି। ବିଶୋଧାନାଗାରଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲିଛି। ଆବଶ୍ୟକତା ପୂରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହେଉଛି। ତେଣୁ ଆମଦାନି କରିବାର କୌଣସି ଆବଶ୍ୟକତା ନାହିଁ।

