ବାରିପଦା : ବାରିପଦା ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସାହିତ୍ୟ ସଂସଦର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଡଃ କୁମରମଣି ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି, ମୁଖ୍ୟବକ୍ତା ଭାବେ ବାଲେଶ୍ୱର ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରତ୍ନାକର ସିଂହ, ସମ୍ମାନିତ ଅତିଥି ଭାବେ ଡଃ ପ୍ରବୋଧ ଦେ ଓ ପ୍ରାଧ୍ୟାପିକା ଡଃ ସ୍ମୃତି ପଟ୍ଟନାୟକ ଯୋଗଦେଇ ସାହିତ୍ୟ କିପରି ସମାଜର ଦର୍ପଣ ହୋଇ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରେ ତା’ରି ଉପରେ ଆଲୋକପାତ କରିଥିଲେ I ଓଡିଶାର ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ବହ୍ନିମାନ ରଥ ସ୍ୱାଗତ ସଂଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ I ଏହି ଅବସରରେ କବି ସ୍ନିଗ୍ଧା ମହାପାତ୍ରଙ୍କ କବିତା ପୁସ୍ତକ “ବୋଉ” ଏବଂ କବି ସୁଚରିତା ମହାନ୍ତିଙ୍କ ଲଳିତ ନିବନ୍ଧ “ଜୀବନ୍ତ ଈଶ୍ବରର ପୃଥିବୀ ଓ ଅନ୍ୟାନ୍ୟ ରଚନା” ଅତିଥିଙ୍କ ହାତରେ ଉନ୍ମୋଚିତ ହେବା ସହ ଅନୁଷ୍ଠାନ ତରଫରୁ ବିଶିଷ୍ଟ କବି ଡଃ ହରିଶ ଚନ୍ଦ୍ର ବେହେରାଙ୍କୁ ଭଞ୍ଜଦୀପ ସମ୍ମାନ, କେଶୁ ଦାସଙ୍କୁ ଭଞ୍ଜଦୀପ କଳା ସମ୍ମାନ, ସୋମନାଥ ସିଂହଙ୍କୁ ଭଞ୍ଜଦୀପ ସେବା ସମ୍ମାନ, ଡଃ ପୁଷ୍ପା ପାତ୍ରଙ୍କୁ ଭଞ୍ଜଦୀପ ପ୍ରାବନ୍ଧିକା ସମ୍ମାନ, ସବିତା ବେହେରାଙ୍କୁ ଭଞ୍ଜଦୀପ ସମ୍ମାନରେ ସମ୍ମାନିତ କରାଯାଇଥିଲା I କବି ମଧୁସୂଦନ ମିଶ୍ର ଓ କ୍ଷଣପ୍ରଭା ମହାନ୍ତିଙ୍କ ସଂଯୋଜନାରେ ରାଜ୍ୟରୁ ଆସିଥିବା କବି ସୁନ୍ଦର ସୁନ୍ଦର କବିତା ଆବୃତ୍ତି କରିଥିଲେ I ଅନୁଷ୍ଠାନର ପ୍ରତିଷ୍ଠାତା ସୁଚରିତା ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଉପ ସଭାପତି ଭାସ୍କର ବାରିକ ଓ କୋଷାଧ୍ୟକ୍ଷ ପାର୍ଥସାରଥି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

