ବାରିପଦା : ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲଅପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଏନ ଏଫ ଡି ସି ର ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ହେବାକୁ ଥିବା ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା, ସମ୍ପାଦକ ଆନ୍ତା ଆଲୋକ ବାସ୍କେ, ଉପଦେଷ୍ଟା ତଥା ସି ଡି ପି ଓ ବିଟୁ ଟୁଡୁ ଓ ଦିଗୀ ମୁର୍ମୁ ମାର୍ଣ୍ଡି, ସଦସ୍ୟ ସୁମୀ ହାଁସଦା ବେଶ୍ରା, ସୁମାଲି ମୁର୍ମୁ ହେମ୍ବ୍ରମ, ଅର୍ଜୁନ ସୋରେନ, ମିନତୀ ବାସ୍କେ ଓ ପାଲୁ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ସଫଳତା ପାଇଁ ସୁଚିନ୍ତିତ ମତ ଦେଇଥିଲେ I ଚଳିତ ମାସ ୨୦ ଓ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ୧୨ ଟି ଲଘୁ ଫିଲ୍ମ ଓ ୧୮ ଟି ଡକୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I ଏହି ମହୋତ୍ସବରେ ଓଡିଶା, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, କେରଳ ଓ ଦିଲ୍ଲୀ ସମେତ ମୋଟ ୮ ରାଜ୍ୟର ୧୨ ଟି ଭାଷାରେ ୩୦ ଟି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି I ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ମୁଖ୍ୟ ଆୟୋଜକ ଦୀପକ ବେଶ୍ରା ପ୍ରକାଶ କରିବା ସହ ବହୁ ସଂଖ୍ୟାରେ ଉପସ୍ଥିତ ରହି ନିଃଶୁଳ୍କରେ ଏହି କାର୍ଯ୍ୟକ୍ରମକୁ ଉପଭୋଗ ଅନୁରୋଧ କରିଛନ୍ତି I

