ବାରିପଦା : ଓଡିଶାର ପୁରାତନ ତଥା ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶତାବ୍ଦୀର କଳାକାର ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଆମେ ବାରିପଦା ନାଟ୍ୟାନୁଷ୍ଠାନର ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦେଶାତ୍ମବୋଧକ ନାଟକ “ମହାସଂଗ୍ରାମର ମହାନାୟକ” ମଞ୍ଚସ୍ଥ ହୋଇଯାଇଛି I ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରଚିତ ଓ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକରେ ଆଲୋକ, ସନ୍ତୋଷ, ନରେନ୍ଦ୍ର, ବିଘ୍ନରାଜ, କାର୍ତ୍ତିକ, ଅନିଲ, ସୌମ୍ୟ, ବିକାଶ, ମିହିର, କାଳୀପ୍ରସନ୍ନ, ସତ୍ୟ, ସଂଗ୍ରାମ, ଫତୁ, ଦେବାଶିଷ, ଶୁଭ, ଅଶୋକ, ସୁତନୁ, ସିମାଞ୍ଚଳ, ମନିଦୀପା, ଧାରାଶ୍ରାବଣୀ ଓ କଳ୍ପନା ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ପ୍ରତାପ, ଆଲୋକରେ ତ୍ରିପାଠୀ, ରୂପସଜ୍ଜାରେ ନରେନ୍ଦ୍ର, ମଞ୍ଚସଜ୍ଜାରେ ସଂଗ୍ରାମ ଓ ନୃସିଂହ, ପୋଷାକରେ କାର୍ତ୍ତିକ, ମଞ୍ଚ ପରିଚାଳନାରେ ବିଭୁତି, ଜିତ ଓ ପ୍ରକାଶ ଏବଂ ସହ ନିର୍ଦ୍ଦେଶନାରେ ଅଶୋକ ସାହୁ ସହଯୋଗ କରିଥିଲେ I ଇଂରେଜମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପୁରୀ ଗଜପତିଙ୍କ ପ୍ରଧାନ ସେନାପତି ବକ୍ସି ଜଗବନ୍ଧୁ ଓଡ଼ିଆ ପାଇକମାନଙ୍କୁ ଏକଜୁଟ କରି ୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷ ଲଢେଇ ଜାରିରଖିଥିଲେ I ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା I ଅତିଥି ଭାବେ ଯୋଗଦେଇ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି, ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ଏମ ପି ସି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଓ ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କେ ସି ମହାନ୍ତି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ I ଏହି ଅବସରରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ଓ ନିର୍ଦ୍ଦେଶକ ଚିନ୍ମୟ ଦାସପଟ୍ଟନାୟକଙ୍କୁ ଶତାବ୍ଦୀର କଳାକାର ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ସମ୍ପାଦକ ଧୀର ମଲ୍ଲିକ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I

