ବାରିପଦା : ଜନଗଣନା -୨୦୨୭ ଅନ୍ତର୍ଗତ ଗୃହ ତାଲିକା ଓ ଗୃହ ଜନଗଣନା କାର୍ଯ୍ୟକ୍ରମ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲା ସମ୍ମିଳନୀ କକ୍ଷରେ ଆଜି ସଫଳତାର ସମ୍ପନ୍ନ ହୋଇଛି । ଭୁବନେଶ୍ୱର ସ୍ଥିତ ଡାଇରେକ୍ଟୋରେଟ୍ ଅଫ୍ ସେନସସ୍ ଅପରେସନ୍ସ ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଶିକ୍ଷକମାନଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଛି । ଏହା ମାର୍ଚ୍ଚ ୭ ରୁ ୧୦, ୨୦୨୬ ଏବଂ ମାର୍ଚ୍ଚ ୧୧ ରୁ ୧୩, ୨୦୨୬ ପର୍ଯ୍ୟନ୍ତ ତିନିଟି ବ୍ୟାଚରେ ଆୟୋଜିତ ହୋଇଥିଲା । ପ୍ରଶିକ୍ଷଣ ସମୟରେ ଗୋଟିଏ ଦିନର ପ୍ରାୟୋଗିକ କ୍ଷେତ୍ର ପରିଦର୍ଶନ ମଧ୍ୟ ଆୟୋଜନ ହୋଇଛି ।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏପ୍ରିଲ୍ ରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ହେବାକୁ ଥିବା ଗୃହ ତାଲିକା ଓ ଗୃହ ଜନଗଣନା, ଯାହା ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଅଟେ, ସେଥିପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରସ୍ତୁତ କରିବା ।
ଶ୍ରୀ ଦୁଃଖବନ୍ଧୁ ନାୟକ, ଓଏଏସ୍ (ଏସ୍), ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସେନସସ୍ ଅଫିସର, ମୟୁରଭଞ୍ଜ ଅଧ୍ୟକ୍ଷତାରେ ମାଷ୍ଟର୍ ଟ୍ରେନର୍ ଭାବେ ଶ୍ରୀ ଗୌତମ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୁରଭଞ୍ଜ, ଶ୍ରୀ ଅଭିମନ୍ୟୁ ସେଠୀ, ବ୍ଲକ୍ ଶିକ୍ଷା ଅଧିକାରୀ, ବାରିପଦା, ଶ୍ରୀ ବିଜୟ କୁମାର ବାରିକ, ସହାୟକ ବ୍ଲକ୍ ଶିକ୍ଷା ଅଧିକାରୀ, ରାସଗୋବିନ୍ଦପୁର ମିଳିତ ଭାବେ କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସେନସସ୍ ଅଫିସର, ମୟୁରଭଞ୍ଜ, ଶ୍ରୀ ନାୟକ ପ୍ରଶିକ୍ଷକମାନଙ୍କୁ ସମ୍ବୋଧନ କରି ଜନଗଣନା କାର୍ଯ୍ୟର ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ । ସଠିକ୍ ତଥ୍ୟ ସଂଗ୍ରହର ଗୁରୁତ୍ୱ ଉଲ୍ଲେଖ କରି କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ ଦାୟିତ୍ୱବାନ୍ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ । ଏହାସହ ଅର୍ଜିତ ଜ୍ଞାନକୁ ବ୍ୟବହାର କରି ଫିଲ୍ଡ ସ୍ତରରେ ଏନ୍ୟୁମେରେଟର୍ ଓ ସୁପରଭାଇଜରମାନଙ୍କୁ କ୍ଷେତ୍ର ପ୍ରଶିକ୍ଷକମାନେ ସଠିକ୍ ମାର୍ଗଦର୍ଶନ ଦେବେ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଛନ୍ତି ।
ପ୍ରଶିକ୍ଷଣ ସମୟରେ ଏନ୍ୟୁମେରେସନ୍ ପ୍ରକ୍ରିୟା, ଘର ତାଲିକାକରଣ ପ୍ରଣାଳୀ, କ୍ଷେତ୍ର ସ୍ତରର ନିୟମାବଳୀ ଓ ସେନସସ୍ କାର୍ଯ୍ୟର ପ୍ରାୟୋଗିକ ଦିଗ ବିଷୟରେ ବିଭିନ୍ନ ସେସନ୍ ଆୟୋଜିତ ହୋଇଥିଲା । ପ୍ରାୟୋଗିକ କ୍ଷେତ୍ର ପ୍ରଶିକ୍ଷଣ(Field Visit) ସମୟରେ ଅଂଶଗ୍ରହଣକାରୀମାନେ ଘର ଘର ସର୍ଭେ କରିବାର ଅନୁଭବ ଲାଭ କରିଥିଲେ ଏବଂ କ୍ଷେତ୍ର ଅଭିଜ୍ଞତା ମଧ୍ୟ ଆଦାନ-ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମାନସୀ ତରାଇ, ଆସିଷ୍ଟାଣ୍ଟ କଲେକ୍ଟର (ସେନସସ୍), ମୟୁରଭଞ୍ଜ, ପରିଚାଳନା କରିଥିଲେ ।

