- ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ
ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ 2003 ମସିହାରୁ ବାରିପଦାର ବୁଢା ବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ 9 ବର୍ଷ ଧରି ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଚଳିତ ମାର୍ଚ୍ଚ 13 ତାରିଖରୁ ଆରମ୍ଭ ହୋଇ 15ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପରିକ୍ରମା କରିବ. ଏହି ଜାଗରଣ ଯାତ୍ରାରେ 50ରୁ ଉର୍ଦ୍ଧ ସଂସ୍କୃତି ସୈନିକ ଙ୍କ ସହିତ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥ 3ଦିନ ଧରି ସମଗ୍ର ଜିଲ୍ଲା ପରିକ୍ରମା କରି ମୟୁରଭଞ୍ଜର କଳା ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ସହ ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ସୁଦୃଢ କରିବ. ମାର୍ଚ୍ଚ 13ତାରିଖ ପ୍ରଥମ ଦିନ ସକାଳ 8ଘଟିକା ସମୟରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏହି ଯାତ୍ରା ଛଉ, ଝୁମର, କଳସିନାଚ, ସଂକୀର୍ତ୍ତନ, ଓଡିଶୀ ଆଦି କଳାକାର ମାନଙ୍କର ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ଆସିବ. ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜାଗରଣ ଯାତ୍ରା ଏବଂ ଜ୍ୟୋତିରଥ କୁଳିଅଣା, କଳାବାଡିଆ, ଝାରପୋଖରୀଆ, ସାରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ରାଇରଙ୍ଗପୁର, ବହଳଦା ହୋଇ ଦୁନ୍ଦୁ ପର୍ଯ୍ୟନ୍ତ ଯିବ. ସେହିପରି 14 ତାରିଖ ଦ୍ଵିତୀୟ ଦିନ ଦୁନ୍ଦୁରୁ ବାହାରି ଜାମଦା, ଗଢ ରାଇରଙ୍ଗପୁର, ଭାଲୁବସା, ଜଶିପୁର, ଖିଚିଂ, କରଞ୍ଜିଆ, କଳାକାଦ, ଠାକୁରମୁଣ୍ଡା, ଚମ୍ପାଝର, ଶରତ, କପ୍ତିପଦା ହୋଇ ଉଦଳାରେ ପହଂଚିବ. ଏବଂ 15 ତାରିଖ ତୃତୀୟ ଦିନ ଉଦଳାରୁ ବାହାରି ଶୋଭାଯାତ୍ରା ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ବାଲେଶ୍ଵର ଗୋଲେଇ ରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଛଉ ପଡିଆ ନିକଟରେ ଜାଗରଣ ଯାତ୍ରା ଉଦଯାପିତ ହେବ ବୋଲି ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି.

