IMG 20260306 WA0222

ଏଆଇୟୁର କେନ୍ଦ୍ରୀୟ ଜୋନାଲ୍‌ କୁଳପତି ସମ୍ମିଳନୀରେ ‘ପବିତ୍ର କୁଞ୍ଜ’ ପୋଷ୍ଟର ପ୍ରଥମ

ରାଜ୍ୟ
ବାରିପଦା : ଗତ ଫେବୃୟାରୀ ୧୯ ରୁ ୨୦ ରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ)ର କେନ୍ଦ୍ରୀୟ ଜୋନାଲ୍‌ କୁଳପତି ସମ୍ମିଳନୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଦର୍ଶିତ ଏକ ପୋଷ୍ଟର ପ୍ରଥମ ସ୍ଥାନ ଅଧିକାର କରିଛି । ଏହାର ମାନପତ୍ର ବିଶ୍ୱବିଦ୍ୟାଳୟକୁ ହସ୍ତଗତ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଅବସ୍ଥିତ ପବିତ୍ର କୁଞ୍ଜ (ସାକ୍ରେଡ୍‌ ଗ୍ରୋଭ୍‌)କୁ ସର୍ବୋତ୍ତମ ପ୍ରଥା (ବେଷ୍ଟ୍‌ ପ୍ରାକ୍ଟିସ୍‌) ଭାବେ ଦର୍ଶାଇ ତିଆରି ହୋଇଥିବା ପୋଷ୍ଟରକୁ ଏହି ସମ୍ମାନ ଦେଇଥିବାରୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏ.ଆଇ.ୟୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ପୋଷ୍ଟରର ଡିଜାଇନର କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ଓ ସାନ୍ତାଳୀ ବିଭାଗର ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜର ଜନଜାତିଙ୍କର ଧାର୍ମିକ ପ୍ରଥା ଏବଂ ସାଂସ୍କୃତିକ ପରମ୍ପରାର ଭିତ୍ତିକୁ ସଂରକ୍ଷଣ କରିବାର ଏକ ମହତ୍‌ କାର୍ଯ୍ୟ ସାଧନ ରୂପେ ପବିତ୍ର କୁଞ୍ଜର ପରିକଳ୍ପନା କରାଯାଇଛି । ଏହା ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ, ସାଂସ୍କୃତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏବଂ ଆଞ୍ଚଳିକ ଜୈବ ବିବିଧତା ସଂରକ୍ଷଣରେ ଆଧ୍ୟାତ୍ମିକ ଭାବରେ ଗୁରୁତ୍ୱପୂର୍ଣ୍ଣ । ସର୍ବୋପରି, ପ୍ରାକୃତିକ ସମ୍ପଦର ସମ୍ପ୍ରଦାୟ ଭିତ୍ତିକ ପରିଚାଳନାର ଏକ ସର୍ବୋତ୍ତମ ଉଦାହରଣ । ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍‌ଧିର ଖବର ମିଳିବା ପରେ ବିଶ୍ୱବିଦ୍ୟାଳୟରେ ଖୁସିର ଲହର ଖେଳିଯାଇଛି ।
Shrutilipi ad