ଭୁବନେଶ୍ୱର, (୨୨/୦୨) : ଓଡ଼ିଶା ବ୍ରାହ୍ମଣ ମହାସଂଘର ଭୁବନେଶ୍ୱର ଶାଖା ଆନୁଷ୍ଠାନିକ ଭାବେ ଗଠିତ ହୋଇଯାଇଛି। ସ୍ଥାନୀୟ ଖାରବେଳ ନଗରସ୍ଥିତ ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ ସଭାଗୃହରେ ବରିଷ୍ଠ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସର୍ବସମ୍ମତି କ୍ରମେ ଶାଖାର ନୂତନ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି। ଶ୍ରୀକାନ୍ତ ମହାପାତ୍ର ଓ ଦେବେନ୍ଦ୍ରନାଥ ତ୍ରିପାଠୀଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିବା ବେଳେ ପରମେଶ୍ୱର ମିଶ୍ରଙ୍କୁ ସମ୍ପାଦକ, ପଦ୍ମନାଭ ଦାଶଙ୍କୁ ଉପସଭାପତି, ପ୍ରଦୀପ ପାତ୍ରଙ୍କୁ ସହ-ସମ୍ପାଦକ (ସଂଗଠନ) ଏବଂ ସୁବଳ କୁମାର ପଣ୍ଡାଙ୍କୁ ସହ-ସମ୍ପାଦକ (ଅର୍ଥ) ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ସର୍ବଶ୍ରୀ ବିରଜା ପ୍ରସାଦ ଶତପଥୀ, ପ୍ରତାପ ଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର କର, ସୁନିଲ ନନ୍ଦ, ରାଜୀବ ଲୋଚନ ମହାପାତ୍ର, ଅଜୟ କୁମାର କର, ସୁନିଲ ମହାପାତ୍ର ଓ କୈଳାସ ଚନ୍ଦ୍ର ରଥଙ୍କୁ ମନୋନୀତ କରାଯାଇଛି।
ଏହି ସଭାରେ ମହାସଂଘର ରାଷ୍ଟ୍ରୀୟ ସମ୍ପାଦକ ଜଗନ୍ନାଥ ପାଢ଼ୀ ଏବଂ କାର୍ଯ୍ୟକାରୀ ସମ୍ପାଦକ ରାମ ପ୍ରସାଦ ଦାଶ ଯୋଗଦେଇ ମହାସଂଘର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପଡ଼ୋଶୀ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ ମଧ୍ୟ ‘ବ୍ରାହ୍ମଣ କଲ୍ୟାଣ ନିଗମ’ ଗଠନ କରିବା ପାଇଁ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ପ୍ରଚେଷ୍ଟା କରାଯିବ ବୋଲି ସେମାନେ ପ୍ରକାଶ କରିଥିଲେ। ଏଥିସହିତ ଶ୍ରୀକ୍ଷେତ୍ରରେ ପ୍ରସ୍ତାବିତ ‘ବ୍ରାହ୍ମଣ ଭବନ’ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ପ୍ରତି ଜିଲ୍ଲାରେ ‘ବେଦ କର୍ମକାଣ୍ଡ ମହାବିଦ୍ୟାଳୟ’ ପ୍ରତିଷ୍ଠା ନିମନ୍ତେ ସରକାରଙ୍କୁ ଅନୁରୋଧ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାସଂଘର ବାର୍ଷିକୋତ୍ସବ ତଥା ଜାତୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସଂପୃକ୍ତି ଲୋଡ଼ାଯାଇଛି। ରାଜଧାନୀରେ ବସବାସ କରୁଥିବା ଆଗ୍ରହୀ ବ୍ରାହ୍ମଣମାନେ ମହାସଂଘର ସଦସ୍ୟ ହୋଇ ଏହି ସାମାଜିକ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଅନୁରୋଧ କରାଯାଇଥିଲା।

ଏହି ଆଲୋଚନାଚକ୍ରରେ ମୟୂରେଶ ଦାସ, ଦେବଦଳନ ରଥ, ଦୀପକ କୁମାର ମହାପାତ୍ର, ରବିନାରାୟଣ ପଣ୍ଡା, ଶାନ୍ତନୁ କୁମାର ସାହୁ ଏବଂ ସତ୍ୟବ୍ରତ ରଥଙ୍କ ସମେତ ଅନେକ ବ୍ରାହ୍ମଣ ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶ୍ୱରଞ୍ଜନ ମିଶ୍ର ଓ ମନୋରଞ୍ଜନ ମିଶ୍ର ଭଜନ ଗାନ କରିଥିବା ବେଳେ ଶେଷରେ ନୂତନ ସମ୍ପାଦକ ପରମେଶ୍ୱର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନୂତନ ଶାଖା ଗଠନ ଦ୍ୱାରା ଆଗାମୀ ଦିନରେ ବ୍ରାହ୍ମଣ ସମାଜର ହିତ ସାଧନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ନିଷ୍ପତ୍ତି ହୋଇଛି।

