ବାରିପଦା : ସ୍ଥାନୀୟ ମୁର୍ଗାବାଡିସ୍ଥିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ପରିସରରେ ୧୮୪ ଟି ପରୀକ୍ଷାକେନ୍ଦ୍ର ସୁପାରିଟେନେଣ୍ଡମାନଙ୍କ ତଥା ୨୧ ଟି ନୋଡାଲ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଓରିଏନଟେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ , ଜିଲ୍ଲା ଆରକ୍ଷୀ ଅଧିକାରୀ ବରୁଣ ଗଣ୍ଠୁପାଲି , ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ସମନ୍ୱିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ଉପସ୍ଥିତ ରହି ଆଗାମୀ ମେଟ୍ରିକ ପରୀକ୍ଷା ର ସୁପରିଚାଳନା ନିମନ୍ତେ ନିୟମାବଳୀ ଉପସ୍ଥାପନା କରିବା ସହିତ ପରୀକ୍ଷାର୍ଥୀ ଓ ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରୀକ୍ଷା ସମୟରେ ଚାପ ମୁକ୍ତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ପରୀକ୍ଷା ସୁପରିଚାଳନା ପାଇଁ ୨୧ ଟି ନୋଡାଲ କେନ୍ଦ୍ର ସହ ୪୯ ଟି ପରୀକ୍ଷା ପତ୍ର ଡେସପାଚ ଟିମ ଗଠନ କରାଯାଇଛି । ପରୀକ୍ଷା ସ୍ୱଛତା ଆଣିବା ପାଇଁ ବୋର୍ଡ ତରଫରୁ ୨ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ୪ ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ର ମାନଙ୍କରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ତରଫରୁ ପୋଲିସର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀ ମାନଙ୍କ ସୁଗମ ପାଇଁ ପରୀକ୍ଷା କେନ୍ଦ୍ର ରେ ପର୍ଯ୍ୟାପ୍ତ ପରିମାଣ ର ଆଲୋକ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚାଇଛନ୍ତି । ପରୀକ୍ଷା ର ସୁପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ ଲଢ଼ିଛନ୍ତି । ନୋଡାଲ କେନ୍ଦ୍ରମାନଙ୍କ ର ଜଣେ ଲେଖାଏଁ ସୁପରଭାଇଜର ମାନଙ୍କୁ ନିଯୁକ୍ତି କରାଯାଇଛି । ମୟୂରଭଞ୍ଜ ର ୧୮୪ ଟି ପରୀକ୍ଷା କେନ୍ଦ୍ର ର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ପରୀକ୍ଷାର୍ଥୀ ୩୧୮୦୪, ମଧ୍ୟମା ପରୀକ୍ଷା ରେ ପରୀକ୍ଷାର୍ଥୀ ୩୦୯,ଏସ ଆଇ ଓ ଏସ ପରୀକ୍ଷା ରେ ପରୀକ୍ଷାର୍ଥୀ ୪୬୯ ଜଣ ସର୍ବମୋଟ ୩୨୫୮୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରକାଶ ଥାଉକି ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ନୋଡାଲ ସେଣ୍ଟର ରେ ପରୀକ୍ଷା ପ୍ରଶ୍ନପତ୍ର ପହଁଚି ଯାଇଛି l ପରୀକ୍ଷା ରେ ଯେପରି କୌଣସି ପରୀକ୍ଷାର୍ଥୀ ଅନୁପସ୍ଥିତ ନ ରୁହନ୍ତି ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

