ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗରେ “R ଓ DEA ମାଧ୍ୟମରେ ତଥ୍ୟ ବିଶ୍ଳେଷଣ” ବିଷୟକ ଏକ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ପୃଷ୍ଠପୋଷକ ରୂପେ ଯୋଗ ଦେଇଥିବା ବେଳେ, ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ, ପ୍ରଫେସର ଇନ୍ଦ୍ରଜିତ ନାୟକ ସହ-ପୃଷ୍ଠପୋଷକ, ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରିୟ ରଞ୍ଜନ ଦାଶ ମୁଖ୍ୟ ଅତିଥି ଏବଂ BIITM, ଭୁବନେଶ୍ୱର ର ଡ. ଦେବବ୍ରତ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରୋଗ୍ରାମ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁ ସମାରୋହର ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ବିଷୟବିଶେଷଜ୍ଞ ରୂପେ ଆଇ ଆଇ ଟି ଖଡ଼ଗପୁର ର ଡ. ମଣ୍ଟୁ କୁମାର ମହାଳିକ, ଆଇ ଆଇ ଟି ରୂର୍କୀ ର ଡ. ପ୍ରତାପ ଚନ୍ଦ୍ର ମହାନ୍ତି, ଆଇ ଆଇ ଟି ଗୋଆ ର ଡ. ସୁନୀଲ ପାଉଲ, ରେଭେନ୍ଶା ବିଶ୍ୱବିଦ୍ୟାଳୟ ର ଡ. ମନୋଜ କୁମାର ଦାସ, ଆୟୋଜକ ବିଶ୍ୱବିଦ୍ୟାଳୟ ର ଡ. ଶର୍ମିଲା ସୁବୁଦ୍ଧି ଏବଂ ସେନ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ର ଡ. ବିକ୍ରମଜିତ ଘୋଷ ପ୍ରମୁଖ ଯୋଗ ଦେଇଥିଲେ । ପାଞ୍ଚ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ଓଡିଶା ସମେତ ଭାରତର ବିଭିର୍ନ ପ୍ରଦେଶରୁ ତିରିଶ ଜଣ ଶିକ୍ଷାବିଦ୍ ଓ ଶୋଧକର୍ତ୍ତା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହରେ ଡ. ମନୋଜ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଏବଂ ପିଏମ-ଉଷା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏହିଭଳି ଅନ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାପାଇଁ ପ୍ରୋଗ୍ରାମ ସଂଯୋଜିକା ପ୍ରଫେସର କବିତା କୁମାରୀ ସାହୁଙ୍କୁ ଉତ୍ସାହିତ କରିଥିଲେ । ତତ୍ପରେ ସମସ୍ତ ପ୍ରତିଭାଗୀମାନଙ୍କ ଠାରୁ ବିଭାଗଦ୍ୱାରା ଭବିଷ୍ୟତରେ ହେବାକୁଥିବା ଅନ୍ୟ କାର୍ଯ୍ୟକ୍ରମ ଗୁଡିକୁ କିପରି ଆହୁରି ସୁଚାରୁ ରୂପେ ଆୟୋଜନ କରାଯାଇପାରିବ, ସେଥିପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ମତାମତ ନିଆଯାଇଥିଲା ଓ ସମସ୍ତ ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉଦଯାପନୀ ସମାରୋହ ର ଶେଷରେ ପ୍ରୋଗ୍ରାମ ର ଆୟୋଜନ ସଚିବ ଡ. ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୁକ୍ତ ଆୟୋଜନ ସଚିବ ଶ୍ରୀ ବିଶ୍ୱଜିତ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ ।

