ବାରିପଦା: ଆଜି ବେତନଟୀ ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବିଧାୟକ, ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବେତନଟୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୌଶଲ୍ୟା ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନ, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ଦାଶ, ବାରିପଦା ପି ଏ ଆଇ ଟି ଡିଏ ଶ୍ରୀ ପ୍ରଣୟ ରଞ୍ଜନ ବେହେରା,ଏ ସି ଏଫ ଏସ. କେ. ମେହେରବାନ ଅଲ୍ଲୀ, ତହସିଲଦାର ଚନ୍ଦ୍ରଜିତ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମିନତୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ସ୍ତରୀୟ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ ପାଇଁ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ମାନ୍ୟବର ବିଧାୟକ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ କରିବାସହ କହିଥିଲେଯେ ଆମେ ସମସ୍ତେ ଆମ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ଯଦ୍ୱାରା ଲୋକମାନେ ଯୋଜନାର ସୁଫଳ ପାଇ ପାରିବେ।
ଉକ୍ତ ବୈଠକରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ସାହି ଓ ବେତନଟୀ ବ୍ଲକରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଓ ଯୋଜନା ଗୁଡିକର ସ୍ଥିତି, ଅଗ୍ରଗତି ଓ ଉପଲବ୍ଧି ଉପରେ ମାନ୍ୟବର ବିଧାୟକ ସମୀକ୍ଷା କରିଥିଲେ। ମୁଖ୍ୟତଃ ସ୍ୱାସ୍ଥ୍ୟ, ବନ, କୃଷି, ଉଦ୍ୟାନ କୃଷି, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ,କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ମେଗା ଉଠା ଜଳସେଚନ, କୃଷି, ଉଦ୍ୟାନ କୃଷି, ସାଧାରଣ ଯୋଗାଣ,ମାଇନିଂ, ପ୍ରାଣୀ ଚିକିତ୍ସା, ମତ୍ସ୍ୟ,ସ୍ୱାସ୍ଥ୍ୟ,ଆଇନ ଶୃଙ୍ଖଳା, ଶ୍ରମ ବିଭାଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ସମ୍ଭନ୍ଧରେ ସମୀକ୍ଷା କରିଥିଲେ। ସେହିପରି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ବିଦ୍ୟୁତ ଯୋଗାଣ, ଗମନାଗମନ, ଇତ୍ୟାଦି ସମ୍ଭନ୍ଧୀୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଯଦି କିଛି ପ୍ରତିବନ୍ଧକ ଥାଏ ତେବେ ଏହାର ସମାଧାନ ପାଇଁ ପ୍ରସ୍ତାବ ଦେଲେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ.
ଏତଦ ବ୍ୟତୀତ ବିଭିନ୍ନ ବିଭାଗଗୁଡିକ ପାଇଁ ବିଭିନ୍ନ ସ୍କିମରେ ଜିଲ୍ଳାକୁ ଆସୁଥିବା ବାର୍ଷିକ ସରକାରୀ ପାଣ୍ଠିର ପରିମାଣ ଏବଂ ସମୁଦାୟ ପାଣ୍ଠି ପରିମାଣ ମଧ୍ୟରୁ ବଡ଼ସାହି ଓ ବେତନଟୀ ବ୍ଲକ ପାଇଁ ଉଦିଷ୍ଟ ପରିମାଣ କେତେ ଓ ଏହା କିପରି ବିନିଯୋଗ ହୋଇଛି ତାହାର ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତହସିଲରୁ ଇସ୍ୟୁ ହେଉଥିବା ବିଭିନ୍ନ ପ୍ରକାର ସାର୍ଟିଫିକେଟ ପାଇବାରେ ଲୋକମାନେ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ତହସିଲଦାର ମାନଙ୍କୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ।
ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସୁତାର, ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ବନଜା ଦାସଙ୍କ ତତ୍ୱାବଧାନରେ ଉକ୍ତ ବୈଠକ ପରିଚାଳନା କରାଯାଇଥିଲା ଏବଂ ବୈଠକ ପରିଚାଳନାରେ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।

