- ଗଣତନ୍ତ୍ର ଲୋକ ମାନଙ୍କୁ ସେବା ମାଧ୍ୟମରେ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଉଛି: ଜିଲ୍ଲାପାଳ
ବାରିପଦା : ମୟୂରଭଞ୍ଜ ସଦର ମହକୁମା ବାରିପଦା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ହେମ କାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ମୁଖ୍ୟ ଅତିଥିଙ୍କୁ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ସୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ ଆଲୋକ କୁମାର କାନୁନଗୋଙ୍କ ଦ୍ଵାରା ପରିଚାଳିତ ପ୍ୟାରେଡରେ, ଓ.ଏସ.ଏ.ପି., ପୋଲିସ, ହୋମ୍ଗାର୍ଡ, ଓଡ୍ରାଫ୍ଟ,ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍, ସିଭିଲିଆନ ଓ ପୋଲିସ ବ୍ୟାଣ୍ଡକୁ ମିଶାଇ ସମୁଦାୟ ୩୩ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇବା ସହ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଗଣତନ୍ତ୍ରର ଇତିହାସ, ଗଣତନ୍ତ୍ର ବ୍ୟବସ୍ଥା ଲାଗୁ ପାଇଁ ଭଞ୍ଜ ପ୍ରଶାସନର ମହତ୍ୱ, ଆଜିର ସମୟରେ ସମ୍ବିଧାନ କିଭଳି ଆମ୍ଭମାନଙ୍କୁ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଉଛି ଏବଂ ଆମେ ଆମ ଗଣତନ୍ତ୍ର ରାଷ୍ଟ୍ର ପାଇଁ କିପରି ଗର୍ବିତ ସେ ବିଷୟରେ କହିଥିଲେ। ଏକ ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକର ଅଧିକାର ସାବ୍ୟସ୍ତ କରିବା ସହିତ ନାଗରିକ ଭାବରେ ଦେଶମାତୃକା ପ୍ରତି କର୍ତ୍ତବ୍ୟ ମଧ୍ୟ ରହିଥାଏ। ତେଣୁ ଏହାକୁ ଆମେ ସମସ୍ତେ ଦାୟିତ୍ୱର ସହିତ ସମ୍ପାଦନ କରିବା ନିମନ୍ତେ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ଏଥିସହିତ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟଗୁଡିକ ବିଷୟରେ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ଜିଲ୍ଲାପାଳ ଏହା ମଧ୍ୟ କହିଥିଲେ ଯେ କୃଷି କଲ୍ୟାଣ, ସ୍ୱାସ୍ଥ୍ୟ,ଶିକ୍ଷା ଓ ଲୋକଙ୍କ ସୁରକ୍ଷା ଦିଗରେ ମୟୂରଭଞ୍ଜ ପ୍ରଶାସନ ସଦାସର୍ବଦା କାର୍ଯ୍ୟରତ ରହିଛି ଓ ଜିଲ୍ଲାର ସାମଗ୍ରିକ ବିକାଶ ତଥା ଏକ ବିକଶିତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।
ଏହି ଅବସରରେ ପୁଲିସ ପଡିଆ ଠାରେ ଜିଲ୍ଲା ପୋଲିସ ଏବଂ ଓ.ଏସ.ଏ.ପି ୫ମ ବାଟାଲିଅନ ଦଳ ପକ୍ଷରୁ ଏକ ସୁନ୍ଦର ମକ ଡ୍ରିଲ ଦେଖିବାକୁ ମିଳିଥିଲା। ପ୍ରତିକୂଳ ପରିସ୍ଥିତିରେ ଦେଶର ସୈନିକ କିଭଳି ଦେଶକୁ ଏବଂ ଦେଶର ନାଗରିକ ମାନଙ୍କୁ ଆତଙ୍କୀ ଆକ୍ରମଣ ଠାରୁ ମୁକ୍ତ କରିଥାଏ, ସେହି ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ମକ ଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।
ବିଭିନ୍ନ ସରକାରୀ ଜନ କଲ୍ୟାଣକାରି ଯୋଜନାକୁ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଭାଗ ମାନେ ପ୍ରଦର୍ଶନ କରିଥିବା ବେଳେ, ଓଡ୍ରାଫ୍ଟ, ଉଦ୍ୟାନ କୃଷି ବିଭାଗ,ବାରିପଦା,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାରିପଦାଙ୍କୁ ଶ୍ରେଷ୍ଠ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ରଜ୍ଞାପନ ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରଙ୍ଗୀନ ଆଲୋକ ମାଳାରେ ସଜା ଯାଇଥିଲା, ସେଥି ମଧ୍ୟରୁ ଶ୍ରେଷ୍ଠ ଆଲୋକୀକରଣ କାର୍ଯ୍ୟାଳୟ ଭାବେ ଯଶିପୁର କ୍ଷୁଦ୍ର ଜଳସେଚନ ବିଭାଜନକୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଚକ୍ରଧର ପ୍ରଧାନ, ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଓ ସହକାରୀ ଶିକ୍ଷକ ତଥା ମୟୂରଭଞ୍ଜ ଜିଲ୍ଲା ରେଡକ୍ରସ ଶାଖାର କନିଷ୍ଠ ରେଡ଼କ୍ରସ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗର କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରିଥିଲେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡା ବିଭାଗରେ ସଫଳତା ହାସଲ କରିଥିବା ୬ ଜଣ କ୍ରୀଡ଼ାବିତ ଯଥାକ୍ରମେ ୩୦ ମିଟର ଜାତୀୟ ତୀରନ୍ଦାଜ ଚମ୍ପିୟାନସିପି ଅଲମ୍ପିକ ରାଉଣ୍ଡରେ ସ୍ବର୍ଣ୍ଣ ପଦକ ବିଜେତା କ୍ରୀଡ଼ାବିତ ରୋହିତ କୁମାର ମାର୍ଣ୍ଡି, ଜାତୀୟ ପାରା ସନ୍ତରଣ ୫୦ ମିଟରରେ ରୌପ୍ୟ ଓ ୧୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଚୈତନ୍ୟ ମାର୍ଣ୍ଡି, ଜାତୀୟ ପାରା ସନ୍ତରଣ ୫୦ ଓ ୧୦୦ମିଟରରେ ବ୍ରୋଞ୍ଜ ହାସଲ କରିଥିବା କମଳା ଟୁଡୁ, ଜାତୀୟ ପାରା ସନ୍ତରଣ ୫୦ ଓ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିବା କ୍ରୀଡ଼ାବିତ ରଞ୍ଜନ କୁମାର ହାଁସଦା,୧୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବିଜୁ ସିଂ ଓ ଜାତୀୟ ସବ ଜୁନିଅର ଯୋଗ କ୍ରୀଡା ଚମ୍ପିୟାନସିପ ରେ ରୌପ୍ୟ ପଦକ ହାସଲ କରିଥିବା ନିହାର ରଞ୍ଜନ ସାହୁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
ଏହି ଦିବସରେ ହୋଇଥିବା ପ୍ୟାରେଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଏନସିସି ବର୍ଗରେ ଏମ.ପି.ସି. (ସ୍ବୟଂଶାସିତ) ମହାବିଦ୍ୟାଳୟ (ବରିଷ୍ଠ) ଶ୍ରେଷ୍ଠ ପ୍ରଥମ ଦଳ ହୋଇଥିବା ବେଳେ, ଅସନଯୋଡ଼ା କନ୍ୟାଶ୍ରମ ଏନ ସି ସି ଶ୍ରେଷ୍ଠ ଦ୍ଵିତୀୟ, ସ୍କାଉଟ୍ ଏବଂ ଗାଇଡ୍ ବର୍ଗରେ ସେଣ୍ଟ ଅନିସ କନଭେଣ୍ଟ ସ୍କୁଲ, ସରସ୍ୱତୀ ବିଦ୍ୟା ମନ୍ଦିର, ତୁଳସୀ ଚଉରା, ରେଡ଼-କ୍ରସରେ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଶିରୀଶବଣୀ,ଏମ ପି କେ ଗାର୍ଲସ ହାଇସ୍କୁଲ ଓ ସିଭିଲିଆନରେ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଗାର୍ଲସ ଓ ସେଣ୍ଟ ଜାଭିଅର ହାଇସ୍କୁଲଙ୍କୁ ଯଥାକ୍ରମେ ଶ୍ରେଷ୍ଠ ପ୍ରଥମ ଓ ଶ୍ରେଷ୍ଠ ଦ୍ଵିତୀୟ ଦଳ ଭାବେ ପୁରସ୍କୃତ କରାଯାଇଥିଲା।
ସେହିପରି ଦେଶାତ୍ମବୋଧ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତୁଳସୀଚଉରା,ସେଣ୍ଟ ଜାଭିଅର ସ୍କୁଲ, ମହର୍ଷି ପବ୍ଲିକ ସ୍କୁଲ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୁ ଶ୍ରେଷ୍ଠତା ପ୍ରତିପାଦନ ପାଇଁ ପୁରସ୍କୃତ କରାଯାଇଥିଲା।
ସମ୍ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ପ୍ୟାରେଡ଼ ତଥା ଅନ୍ୟାନ୍ୟ ଦଳ ମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ବାରିପଦା ପୌରପାଳିକାଙ୍କ ମିଳିତ ସହଯୋଗରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିବା ବେଳେ ମୁଖ୍ୟଅତିଥିଙ୍କ ଦ୍ୱାରା ଇନର ହୁଇଲ କ୍ଲବ, ବାରିପଦାଙ୍କ ତରଫରୁ ଉତ୍କଳ ବଳାଶ୍ରମର ଅନ୍ତେବାସୀଙ୍କୁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ସ୍ଵତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ, ମିଷ୍ଟାନ୍ନ ଓ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ (ପି.ଆର.ଏମ.) ମେଡିକାଲ କଲେଜ ଓ ହସ୍ପିଟାଲର ଅନ୍ତେବାସୀ ରୋଗୀ ଫଳ-ବିସ୍କୁଟ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।
ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ମୟୂରଭଞ୍ଜ, ବାରିପଦା, ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୂରଭଞ୍ଜ ଓ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ, ବାରିପଦା ଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା।
ଏହି ଅବସରରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଜିଲ୍ଲାପାଳ ଏକାଦଶ ବନାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକାଦଶ ମଧ୍ୟରେ ବାରିପଦା ଷ୍ଟାଡିଅମ ଠାରେ ଆୟୋଜନ କରା ଯାଇଥିଲା ଏବଂ ଏଥିରେ ଜିଲ୍ଲାପାଳ ଏକାଦଶ ବିଜୟୀ ହୋଇଥିଲେ।
ଜାତୀୟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସନ୍ଧ୍ୟା ୬:୩୦ ଘଟିକା ସମୟରେ ସ୍ଥାନୀୟ ସମ୍ମିଳନୀ କକ୍ଷରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ସମ୍ମାନିତ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଓ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଯୋଗ ଦେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।
ଜିଲ୍ଲା ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ଦିବସର କାର୍ଯ୍ୟକ୍ରମ ମାନଙ୍କୁ ପରିଚାଳନା, ସଂରଚନା ଓ ସଂଯୋଜନା ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ବାରିପଦା ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁଣ୍ଡୁୟା କାର୍ଯ୍ୟକାରୀ କରିଥିଲେ ଏବଂ ଉକ୍ତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

