Ss

କୁଦାନଗରୀ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାଜ୍ୟ

( କେନ୍ଦ୍ରାପଡ଼ାରୁ ବିକାଶ ବେହେରାଙ୍କ ରିପୋର୍ଟ) :  କୁଦାନଗରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବର ଓ ଉତ୍ସାହ ସହକାରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରାଙ୍ଗଣରେ ଆୟୋଜିତ ଏହି ସମାରୋହରେ ଅତିଥି ଓ ଅଭିଭାବକମାନଙ୍କ ଗହଣରେ ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ସମାଜସେବୀ ବିଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ବାୟା ଅବଧୂତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସିଂହ ଯୋଗଦେଇ ଶିକ୍ଷାର ବାସ୍ତବ ଅର୍ଥ ଓ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

2 3  6 7

ଏହି ଅବସରରେ ଶିକ୍ଷାବିତ୍ ଶରତଚନ୍ଦ୍ର ମହାନ୍ତି, ଦୁର୍ଯ୍ୟୋଧନ ପାଣିଗ୍ରାହୀ, କାଶୀନାଥ ଜେନା, ପରିକ୍ଷିତ ପାତ୍ର, ପଞ୍ଚସଖା ଶିକ୍ଷାସେତୁର ସଭାପତି ଜ୍ଞାନରଞ୍ଜନ ପାତ୍ର, ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀ, ସିଆରସିସି ରାଜେନ୍ଦ୍ର ଭୋଇ, ମଧୁଶାସନ ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ବେହେରା, ଡାକ୍ତର ସିଦ୍ଧାର୍ଥ ରାଉତ ଏବଂ ବାବାଜୀ ରେବତୀରମଣ ମହାରାଜ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ଶୋଭା ବର୍ଦ୍ଧନ କରିଥିଲେ। କ୍ରୀଡ଼ା ଶିକ୍ଷକ ରମେଶଚନ୍ଦ୍ର ଦଳାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ବକ୍ତାମାନେ ନିଜ ଅଭିଭାଷଣରେ କହିଥିଲେ ଯେ, କେବଳ ପାଠ୍ୟପୁସ୍ତକର ଜ୍ଞାନ ଜଣେ ପିଲାକୁ ସମ୍ପୂର୍ଣ୍ଣ ମଣିଷ କରିପାରେନାହିଁ, ଏଥିପାଇଁ ଚରିତ୍ର ଗଠନ ଓ ଶୃଙ୍ଖଳା ଅତ୍ୟନ୍ତ ଜରୁରୀ । ସେମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଜୀବନରେ ଏକ ସୁନିଶ୍ଚିତ ଲକ୍ଷ୍ୟ ରଖିବା ସହ ସମୟର ସଠିକ୍ ସଦୁପଯୋଗ କରିବା ଆବଶ୍ୟକ । ଆଜିର ପ୍ରତିଯୋଗିତାମୂଳକ ଯୁଗରେ ନିଜକୁ ପ୍ରସ୍ତୁତ କରିବା ପାଇଁ କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟୟନର ବିକଳ୍ପ ନାହିଁ। ଏହା ସହ ମାତୃଭୂମି, ଗୁରୁଜନ ଓ ପିତାମାତାଙ୍କ ପ୍ରତି ସମ୍ମାନ ରଖିବା ସହ ଜଣେ ସୁନାଗରିକ ହେବା ପାଇଁ ସେମାନେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷ କରି ମୋବାଇଲ୍ ଓ ସୋସିଆଲ୍ ମିଡିଆରୁ ଦୂରେଇ ରହି ଜ୍ଞାନ ଆହରଣ ଦିଗରେ ମନୋନିବେଶ କରିବାକୁ ଅତିଥିମାନେ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ସେମାନେ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ।
ସଭା ଶେଷରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା, ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ନିଷ୍ଠାର ସହ ସହଯୋଗ କରିଥିଲେ। ଶେଷରେ ବିଭୁ ପ୍ରସାଦ ଷଡ଼ଙ୍ଗୀ ଅତିଥିମାନଙ୍କୁ ଏବଂ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ଉତ୍ସବର ସାଙ୍ଗ ହୋଇଥିଲା।

Shrutilipi ad