ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ବାରା ‘ମୋବାଇଲ୍ ଆପ୍ ବିକାଶ’ ସଂପର୍କରେ ସାପ୍ତାହିକ ଦକ୍ଷତା ବିକାଶ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍ ଉଷାଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦ୍ଘାଟନ କରିଥିଲେ । ଏଭଳି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ଶିକ୍ଷାର ଗୁଣାତ୍ମକ ବିକାଶରେ ମୋବାଇଲ୍ ଆପ୍ ବ୍ୟବହାର ଓ ତା’ର ବହୁବିଧ ବିକାଶ ସଂପର୍କରେ କିପରି ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିବେ ସେ ସଂପର୍କରେ କୁଳପତି ଶତପଥୀ ତାଙ୍କର ଅଭିମତ ରଖିଥିଲେ । ସେହିପରି ମୁଖ୍ୟଅତିଥି ଭାବରେ ଆଇଆଇଟି ଧାନବାଦର ସିଷ୍ଟମ ଇଂଜିନିୟରର ଅଧ୍ୟକ୍ଷ ଡକ୍ଟର କୌଶିକ ମଣ୍ଡଳ ଏହି ଆପ୍ର ବ୍ୟବହାରର ଗୁଣବତ୍ତାକୁ ଛାତ୍ରଛାତ୍ରୀ ତଥା ଯୁବବର୍ଗ ବ୍ୟବହାର କରି ଆପଣାର ବ୍ୟକ୍ତିତ୍ବ ବିକାଶ ସହିତ କର୍ମନିଯୁକ୍ତି ଏବଂ ଆବଶ୍ୟକ ଡିଜିଟାଲ ସୁବିଧା ସୁଯୋଗ ସଂପର୍କରେ କିପରି ଜ୍ଞାନ ଲାଭ କରିପାରିବେ, ସେ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବରେ ସୁନାମଧନ୍ୟ ପ୍ରେରଣାଦାୟୀ ବକ୍ତା ଶ୍ରୀଯୁକ୍ତ ଅବିନାଶ ସାମିଲ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମୋବାଇଲ ଆପ୍ ବିକାଶ ସମ୍ପର୍କିତ ଅବଧାରଣାକୁ ବ୍ୟବହାର କରି ଉଚ୍ଚଶିକ୍ଷାରେ ତଥା ନିଜର ଭବିଷ୍ୟତର କାର୍ଯ୍ୟଦକ୍ଷତାକୁ ଛାତ୍ରଛାତ୍ରୀମାନେ କିପରି ଅଧିକ ତ୍ବରାନ୍ବିତ କରିପାରିବେ, ସେ ସଂପର୍କରେ ବୁଝାଇ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ନିଜର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଭିଜିତ ତ୍ରିପାଠୀ ଏବଂ ବାଙ୍ଗାଲୋର ସ୍ଥିତ ଡିଏକ୍ସଓପିଏସ୍ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶୁଭମ୍ ଶର୍ମା ଯୋଗଦେଇ ମୋବାଇଲ ଆପ୍ ବିକାଶର ଉପଯୋଗିତା, ତା’ର ବ୍ୟାବହାରିକ ଦିଗ ଏବଂ ସେଥିପ୍ରତି ଲୋଡ଼ା ସଚେତନତା ସଂପର୍କରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମର ବାସ୍ତବ ରୂପାୟନ ପାଇଁ ଆହ୍ୱାନ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ ପି.ଏମ୍ ଉଷା କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ଅଭିମତ ପ୍ରଦାନ କରିଥିଲେ। ଏହି ସାପ୍ତାହିକ କାର୍ଯ୍ୟକ୍ରମର ଆବାହକ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ସଫଳ ରୂପରେଖ ସଂପର୍କରେ ଅଭିମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ଏବଂ ସହ-ଆବାହକ ଡକ୍ଟର ଶର୍ମିଳା ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭାଗର ଅଧ୍ୟାପକମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ଏକ ସପ୍ତାହ ଧରି ଆୟୋଜିତ ହେବାକୁ ଥିବା ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଲୋଚକମାନେ ଯୋଗଦାନ କରିବା ସହିତ ବିଶ୍ବବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସହ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି କାର୍ଯ୍ୟକ୍ରମ ଆବାହକ ଡକ୍ଟର ଜନ୍ମେଞ୍ଜୟ ନାୟକ ସୂଚନା ପ୍ରଦାନ କରିଛନ୍ତି।

