ବାରିପଦା : ଓଡିଶା ସରକାର ଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ଚଳିତ ଜାନୁଆରୀ ମାସ ୬ ତାରିଖ ଠାରୁ ଜାନୁଆରୀ ୨୦ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ସ୍ଥାନୀୟ ତକତପୁର ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଏନେକ୍ସର ହଲ ସମ୍ମିଳନୀ କକ୍ଷ ଠାରେ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ମୟୁରଭଞ୍ଜ ଜଳସେଚନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ, ସୁବର୍ଣ୍ଣରେଖା ଅବବାହିକା ର ମୁଖ୍ୟଯନ୍ତ୍ରୀ ଇଂ ଚିତ୍ତରଞ୍ଜନ ଭୂୟାଁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ସୁବ୍ରତ କୁମାର ଦାସ ଏବଂ ପ୍ରଣବ କୁମାର କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଅନ୍ୟାନ୍ୟ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ସମସ୍ତ ଅତିଥି ପାଣି ପଂଚାୟତ ଯୋଜନା ଉପରେ ସୁଚିନ୍ତିତ ମତାମତ ରଖି ପ୍ରକାଶ କରିଥିଲେ କି ଏହି ପାଣି ପଂଚାୟତ ପକ୍ଷ ପାଳନ ର ମୁଖ୍ୟ ଉଦେଶ୍ୟ ହେଉଛି ଜଳ ସେଚନ ପ୍ରଣାଳୀ ରେ ଚାଷ ପାଇଁ ଯୋଗାଇ ଦିଆ ଯାଉଥିବା ଜଳ ର ଗୋଟିଏ ବୁନ୍ଦା ଯେମିତି କୌଣସି ପରିସ୍ଥିତି ରେ ଚାଷୀ ଙ୍କ ଦ୍ୱାରା ଅପବ୍ୟବହାର ନହୋଇ କୃଷିକ୍ଷେତ ରେ ଶସ୍ୟ ଉତ୍ପାଦନ ନିମନ୍ତେ ଶତ ପ୍ରତି ଶତ ସଠିକ ଉପଯୋଗ ହେବ ସେ ସମ୍ଭନ୍ଧ ରେ ଚାଷୀ ମାନଙ୍କୁ ସଚେତନ କରାଇବା ଏବଂ ପ୍ରତ୍ୟେକ ପାଣି ପଂଚାୟତ ର ଚାଷୀ ମାନେ ନିଜ ନିଜ ର ସହଭାଗିତା ଓ ସହଯୋଗୀତା ଜରିଆରେ ଜଳର ଉତ୍ତମ ପରିଚାଳନା ସହ ସେମାନଙ୍କ ଭିତରେ ସୁଷମ ବଣ୍ଟନ ଓ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ ସମ୍ଭନ୍ଧ ରେ କିପରି ସର୍ବ ସମ୍ମତି କ୍ରମେ ଗଠନ ମୂଳକ ନିଷ୍ପତ୍ତି ନେବେ, ସମ୍ପୃକ୍ତ ପାଣି ପଂଚାୟତ ଅଧିନସ୍ଥ କୌଣସି ଜଣେ ଚାଷୀ ଯେମିତି ଉକ୍ତ ସେଚିତ ଜଳ ପାଇବାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଉଚିତ ଭାବେ ଧ୍ୟାନ ଦେବେ ଏବଂ ସୀମିତ ଜଳର ଉତ୍ତମ ବିନିଯୋଗ ଦ୍ୱାରା କେଉଁ ଶସ୍ୟ ଚାଷ କଲେ ଉତ୍ତମ ଉତ୍ପାଦନ ସହିତ ଅମଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୃଷି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ଯଦ୍ୱାରା ଜଳ ଅଭାବ ରେ ଚାଷ ପ୍ରଭାବିତ ହେବ ନାହିଁ ସେ ବିଷୟରେ ମଧ୍ୟ ଚାଷୀ ମାନେ ନିଜ ନିଜ ଭିତରେ ଆଲୋଚନା ଜରିଆରେ ନିଷ୍ପତି ନେବେ ସେସବୁ ସମସ୍ତ ବିଷୟରେ ଚାଷୀ ମାନଙ୍କୁ ପରାମର୍ଶ ଦେବା ତଥା ସଚେତନ କରାଇବା ଏହି ପାଣି ପଂଚାୟତ ପକ୍ଷ ପାଳନ ର ଉଦେଶ୍ୟ l ଚାଷୀ ମାନଙ୍କ ପରସ୍ପର ସହଭାଗୀତାରେ ସେଚ ଜଳର ସୁଷମ ବଣ୍ଟନ ସହିତ ଜଳର ସର୍ବତ୍କୃଷ୍ଠ ବିନିଯୋଗ କରି ଅଧିକ ଉତ୍ପାଦନ କରିବା ପାଇଁ ଅତିଥି ମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ପାଣି ପଂଚାୟତ ପକ୍ଷ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ଡ୍ରଇଂ, କୁଇଜ ଓ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ କିଛି ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ.ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜଳସେଚନ ବିଭାଗ ର ପଦାଧିକାରୀ ଓ କର୍ମଚାରୀ, ବିଭିନ୍ନ ପାଣି ପଂଚାୟତ ର ଚାଷୀ ବୃନ୍ଦ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ର ପ୍ରତନିଧି ମାନେ ଉପସ୍ଥିତ ଥିଲେ.
ମୟୁରଭଞ୍ଜ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପରମେଶ୍ୱର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଂ ସୁରେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗୀୟ କର୍ମଚାରୀ ଇଂ ପ୍ରଭାତ କୁମାର ସେଠି, ଜଗଦିଶ ଦାସ ଏବଂ ଅମିତାଭ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.ଏହି ଅବସରରେ ପରିସରରେ ଆୟୋଜିତ ପାଣି ପଂଚାୟତ ସମ୍ପର୍କିତ ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ନିମନ୍ତ୍ରିତ ଅତିଥି ଓ ଅନ୍ୟମାନେ ବୁଲି ଦେଖିଥିଲେ l

