Images (1)

ବାଦାମପାହାଡ଼-କେନ୍ଦୁଝର ଗଡ଼ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ସର୍ଭେ ଆରମ୍ଭ

ରାଜ୍ୟ
ବାରିପଦା: ରେଳବାଇ ଆଇନ, ୧୯୮୯ ର ଧାରା ୨୦(ଖ) ଅନୁସାରେ ପ୍ରଦତ୍ତ ଅଧିକାର ଆଧାରରେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜମି ସର୍ଭେ, ମାପନ / ସୀମା ନିର୍ଦ୍ଧାରଣ ଏବଂ ତଦନ୍ତ କାର୍ଯ୍ୟ କରିବା ପାଇଁ ୧୨.୦୧.୨୦୨୬ ରୁ ୦୨.୦୨.୨୦୨୬ ପର୍ଯ୍ୟନ୍ତ ଏକ କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରାଯାଇଛି । ଏହି କାର୍ଯ୍ୟସୂଚୀ ସ୍ୱତନ୍ତ୍ର ରେଳ ପ୍ରକଳ୍ପ “ବାଦାମପାହାଡ଼ –କେନ୍ଦୁଝରଗଡ଼ [୮୨.୦୬ କି.ମି. (ମୟୂରଭଞ୍ଜ ଅଂଶ ୪୭.୪୬ କି.ମି.)], ନୂତନ ବ୍ରଡଗେଜ ଲାଇନ” ସହ ସମ୍ପୃକ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସନ୍ଦର୍ଭରେ ହେବ ।
ଏହି ରେଳ ଲାଇନ ପାଇଁ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ତହସିଲ ଅଧୀନରେ ୬ଟି, ଶୁକୃଳିର ୭ଟି, ଯଶିପୁରର ୧୯ଟି ଏବଂ କୁସୁମୀ ତହସିଲର ୩ଟି ଗ୍ରାମର କିଛି ଅଂଶ ଜମି ଅଧିଗ୍ରହଣର ଅନ୍ତର୍ଭୁକ୍ତ ଥିବାରୁ ଉକ୍ତ ନିର୍ଦେଶନାମାରେ  କରଞ୍ଜିଆ, ଶୁକୃଳି, ଯଶିପୁର ଏବଂ କୁସୁମୀର ତହସିଲଦାରମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ଯେ, ସମ୍ପୃକ୍ତ ତହସିଲ ଅନ୍ତର୍ଗତ ତାଙ୍କର ରେଭେନ୍ୟୁ ସୁପରଭାଇଜର (R.S.) / ରେଭେନ୍ୟୁ ଇନ୍ସପେକ୍ଟର (R.I.) / ଅମିନଙ୍କୁ ନିଯୁକ୍ତ କରି ଉକ୍ତ ଆଇନର ଧାରା ୨୦(ଖ)ଅନୁଯାୟୀ ପ୍ଲଟ ଚିହ୍ନଟ, ମାଲିକାନା ସତ୍ୟାପନ ଏବଂ ସ୍ଥାନୀୟ ସମନ୍ୱୟରେ କାର୍ଯ୍ୟ କରିବେ।
ନିଯୁକ୍ତ ରେଭେନ୍ୟୁ କର୍ମଚାରୀମାନେ ଜିଲ୍ଲା ପ୍ରାଯୁକ୍ତିକ ଦଳ, ବନ ବିଭାଗ ଅଧିକାରୀ ଏବଂ ଇଞ୍ଜିନିୟରିଂ କତୃପକ୍ଷଙ୍କ  ସହ ସମନ୍ୱୟ ରକ୍ଷା କରିବେ ଏବଂ ଅନୁମୋଦିତ କାର୍ଯ୍ୟ ସୂଚୀ ଅନୁଯାୟୀ ରେଳବାଇ ଆଇନ ୧୯୮୯ ଧାରା ୨୦(ଖ) ଅନୁସାରେ କ୍ଷେତ୍ର ସତ୍ୟାପନ, ଗଛ ଗଣନା କରି ପ୍ରକ୍ରିୟା ସମାପ୍ତି ପରେ  ଗଠନାତ୍ମକ  ମୂଲ୍ୟାୟନ ସମ୍ପର୍କିତ ବିସ୍ତୃତ ରିପୋର୍ଟ  ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବା ପାଇଁ ନିର୍ଦେଶ ଦିଆଯାଇଛି।
Shrutilipi ad