Img 20260102 wa0223

ସ୍ୱଦେଶୀ ମହୋତ୍ସବ “ମେଘାସନୀ” ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା: ଜିଲ୍ଲାସ୍ତରୀୟ ସ୍ୱଦେଶୀ ମହୋତ୍ସବ “ମେଘାସନୀ” ଆୟୋଜନ ପାଇଁ  ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଫେବୃଆରୀ ମାସ ୧ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଏହାକୁ ଆୟୋଜନ କରିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଛି । ଓରମାସ୍ ତଥା ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ପକ୍ଷରୁ ଆୟୋଜନ ହେବାକୁ ଥିବା ଏହି ମେଳାରେ ୨୫୦ଟି ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ଖୋଲିବାକୁ ଯୋଜନା ହୋଇଛି । ସେହିପରି ଏହି ଉତ୍ସବ ଅବସରରେ ଶିମିଳିପାଳକୁ ମଣିଷକୃତ ନିଆଁ ଦାଉରୁ ରକ୍ଷା କରିବା ବାର୍ତ୍ତା ପ୍ରଚାର ପାଇଁ ଏକ ହାଫ୍ ମାରାଥନ୍ ଓ ଶିମିଳିପାଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ମେଳାରେ “ଏକ ଜିଲ୍ଲା ଏକ ଉତ୍ପାଦ” କୁ ପ୍ରୋତ୍ସାହନ କରିବା ପାଇଁ ଆଇଟିଆଇ ଓ ପଲିଟେକନିକ୍ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ୱଦେଶୀ ଉତ୍ପାଦ ଉପରେ ନମୁନା ପ୍ରଦର୍ଶନ ହେବା ସହ ଉଦ୍ୟମିତା ବୃଦ୍ଧି ଉପରେ କର୍ମଶାଳା ଆୟୋଜନ ହେବ । ଏହି କ୍ରମରେ ସବାଇ ଘାସର ବିଭିନ୍ନ ଉତ୍ପାଦ, ବିର୍ଲା ଟାୟାର୍ସଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ରବର ଉତ୍ପାଦକୁ ବ୍ୟବହାର ଟାୟାର ପ୍ରସ୍ତୁତ ସମ୍ପର୍କିତ ପ୍ରଦର୍ଶନୀ ଷ୍ଟଲ ରହିବ ବିଶେଷ ଆକର୍ଷଣ । ଏହାସହ ରେଶମ୍ ଉତ୍ପାଦ ସମ୍ପର୍କିତ ସ୍ୱତନ୍ତ୍ର ଷ୍ଟୋଲ୍ ମଧ୍ୟ ପ୍ରଦର୍ଶନ ହେବ । ସେହିପରି ଶିମିଳିପାଳ ଜୈବମଣ୍ଡଳ ଆଧାରିତ ସ୍ୱତନ୍ତ୍ର ଷ୍ଟୋଲ୍ ମଧ୍ୟ ରହିଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଜନଜାତି ଅଧ୍ୟୟନ ଓ ସାନ୍ତାଳୀ ବିଭାଗ ତରଫରୁ ଆଦିବାସୀ ସଂଗ୍ରହାଳୟ ଷ୍ଟଲ୍ ଏଥିରେ ସ୍ଥାନୀତ ହେବ । ମେଳାରେ ସୁଭାଦ୍ର ଶକ୍ତି ସମ୍ପର୍କିତ ଷ୍ଟୋଲ ଗୁଡ଼ିକ ସ୍ଥାନୀତ ହେବ । ଏହା ମହିଳା ଶକ୍ତି ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ କାହାଣୀ ବଖାଣିବ । ଏଥିରେ ଲକ୍ଷପତି ଦିଦି ଆସି ନିଜର ଅଭିଜ୍ଞତା ବାଣ୍ଟିବେ । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ ପାଇଁ ମଧ୍ୟ କର୍ମଶାଳା ଆୟୋଜନ ହେବ । ସେହିପରି ବିଭିନ୍ନ ପୁସ୍ତକ ଷ୍ଟୋଲ୍ ମଧ୍ୟ ପ୍ରଦର୍ଶନ ହେବ । ଏହି ମେଳାକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱ ଦେଇ ମେଳକୁ ଆସିବାକୁ ଥିବା ଖାଦ୍ୟ ଷ୍ଟଲ ଗୁଡିକ ଶାଳପତ୍ରକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଦିନ ଧୁମଧାମରେ ଆୟୋଜନ କରାଯିବ । ଏଥିରେ ଶାସ୍ତ୍ରୀୟ, ଗଜଲ ସଂଧ୍ୟା, ରକ୍ ବ୍ୟାଣ୍ଡ, ଭଜନ, ଲୋକଗୀତ ଓ ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି । ଆଜିର ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଧର୍ମାନନ୍ଦ ବେହେରା, ଓରମାସ୍ ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଅଧୀକ୍ଷଣ ଯନ୍ତ୍ରୀ (ପୂର୍ତ୍ତ) ରୋହନ୍ ରୟ, ପିଏ ଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
Shrutilipi ad