ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟର ୨୦୨୬ ମସିହା କ୍ୟାଲେଣ୍ଡର ଉନ୍ମୋଚିତ
ସାଲେପୁର : ସ୍ଥାନୀୟ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ଏବଂ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ମିଳିତ ଆନୁକୂଲ୍ୟରେ ଟ୍ରଷ୍ଟ ସଭାଗୃହରେ “ଔଷଧୀୟ ବୃକ୍ଷ ଏବଂ ସୁଗନ୍ଧିତ ଫସଲର କୃଷି” ଶୀର୍ଷକ ଏକ ଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ଏହି ଶିବିରରେ ଚାଷୀମାନଙ୍କୁ ଆଧୁନିକ ଓ ଲାଭଜନକ କୃଷି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।
ଟ୍ରଷ୍ଟର ପ୍ରତିଷ୍ଠାତା ସୁକାନ୍ତ କିଶୋର ମହାନ୍ତି ଏବଂ ବିଜ୍ଞାନ ପ୍ରଚାର ସମିତିର ସଭାପତି ମେଜର ମଞ୍ଜୁଶ୍ରୀ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃପାଜଳ ଇଞ୍ଜିନିୟରିଂ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ତଥା ବରିଷ୍ଠ ଗବେଷକ ଡକ୍ଟର ପ୍ରିୟବ୍ରତ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଓ ସୁଗନ୍ଧିତ ଫସଲ, ବିଶେଷ କରି ଲେମ୍ବୁ ଘାସ (Lemon Grass) ଚାଷର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଚାଷ ମାଧ୍ୟମରେ ଚାଷୀମାନେ କିଭଳି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା ସହ ସେଥିରୁ ବାହାରୁଥିବା ତେଲ ବ୍ୟବହାର କରି ଔଷଧ, ସୁଗନ୍ଧିତ ପ୍ରସାଧନ ସାମଗ୍ରୀ ଓ ଫିନାଇଲ୍ ପ୍ରସ୍ତୁତ କରିପାରିବେ, ସେ ସମ୍ପର୍କରେ ଡକ୍ଟର ମହାପାତ୍ର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଶିବିରରେ ୨୦ରୁ ଅଧିକ ପ୍ରଗତିଶୀଳ ଚାଷୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଏନଟିପିସି (NTPC) ଆସାମର ଉପମୁଖ୍ୟ ପରିଚାଳକ ଇଞ୍ଜିନିୟର ଅଂଶୁମାନ ଦାଶ ତାଙ୍କ ପିତା ଡକ୍ଟର ନଳିନାକ୍ଷ ପ୍ରସାଦ ଦାଶଙ୍କ ସ୍ମୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ପ୍ରତିବର୍ଷ ଓଡ଼ିଶାର ଜଣେ ପ୍ରଖ୍ୟାତ ଉଦ୍ଭିଦ ବିଜ୍ଞାନୀଙ୍କୁ ବିଜ୍ଞାନ ପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ସମ୍ମାନିତ କରାଯିବ ବୋଲି ସେ ସମ୍ମତି ପ୍ରଦାନ କରିଥିଲେ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିପୀନ ବିହାରୀ କର, ଉପଦେଷ୍ଟା ଡକ୍ଟର ପୂର୍ଣ୍ଣଚନ୍ଦ୍ର ଓଝା, ଡକ୍ଟର ଉମେଶ ଚନ୍ଦ୍ର ପତି, ଶାରଦା ପ୍ରସାଦ ରଥ, ପ୍ରତାପ କିଶୋର ଜେନା, ଦିବାକର ପ୍ରଧାନ, କୋଷାଧ୍ୟକ୍ଷ ପୁରସ୍ତମ ବେହେରା, ପ୍ରଫୁଲ କୁମାର ମହାନ୍ତି ଏବଂ ବିଜୟଲକ୍ଷ୍ମୀ କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମିତିର ସମ୍ପାଦକ ମହେଶ ଚନ୍ଦ୍ର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟର ୨୦୨୬ ମସିହାର ଲାଗି କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା | ଏହି କ୍ୟାଲେଣ୍ଡର ପ୍ରସ୍ତୁତିରେ କଟକସ୍ଥିତ କ୍ରିଏଟିଭ ପ୍ରକାଶନ ସଂସ୍ଥା ସହାୟତା ପ୍ରଦାନ କରିଥିଲେ |

