ଆଗରପଡ଼ା: ମାତ୍ର ୯ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଶିଶୁବାଟିକା ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ୯ଜଣ ପିଲାଙ୍କୁ ପଢାଉଛନ୍ତି ୨ଜଣ ଶିକ୍ଷକ । ତେଣୁ ପ୍ରତ୍ୟେକ ଶ୍ରେଣୀ ପାଇଁ ୨ ଜଣ ପିଲା । ପ୍ରାଥମିକ ଶିକ୍ଷାର ଏହିଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବନ୍ତ ବ୍ଲକ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ପୁରୁଷଣ୍ଢ ପଞ୍ଚାୟତ ଅର୍ନ୍ତଗତ ମୁଣ୍ଡଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ । ୨୦୦୪ ମସିହାରେ ପ୍ରତିଷ୍ଠିତ ଏହି ପ୍ରାଥମିକ ବିଦ୍ୟାଳୟଟିରେ ବର୍ତ୍ତମାନ ତିଷ୍ଠି ରହିବାକୁ ସଂଗ୍ରାମ କରୁଛି । ସରକାରୀ ନିୟମ ଅନୁସାରେ ଏହା ବନ୍ଦ ହୋଇଯିବା ଅବସ୍ଥାକୁ ମଧ୍ୟ ଆସିଯାଇଛି । ୨୦ ଜଣରୁ କମ ପିଲା ହେଲେ ସ୍କୁଲ ଉଠିଯିବା କଥା ସେପରି ସ୍ଥଳେ ଏହାର ପିଲା ସଂଖ୍ୟା ମାତ୍ର ୯ । ଏହି ୯ ଜଣଙ୍କୁ ପଠାଉଛନ୍ତି ଦୁଇ ଜଣ ଶିକ୍ଷକ । ଖବରରୁ ଜଣାପଡ଼ିଛି ଚଳିତ ଶିକ୍ଷାବର୍ଷରେ ଶିଶୁବାଟିକା ରୁ ଦ୍ୱିତୀୟଶ୍ରେଣୀ ପର୍ଯ୍ୟନ୍ତ ପିଲା ସଂଖ୍ୟା ଶୂନ ହୋଇଥିବା ବେଳେ ତୃତିୟରେ ୧, ୪ର୍ଥରେ ୫ ଓ ୫ମ ଶ୍ରେଣୀରେ ପିଲା ସଂଖ୍ୟା ୩ । ଏହିପରି ଶିଶୁବାଟିକାରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀରେ ସମୁଦାୟ ୯ ଜଣ ପିଲା ଅଧ୍ୟୟନ କରୁଛନ୍ତି । ପ୍ରାଥମିକ ଶିକ୍ଷାକୁ ଉନ୍ନତମାନର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନାମାନ ପ୍ରଣୟନ କରିବା ସହ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ମାଗଣା ବହି, ପୋଷାକ ଓ ଖାଦ୍ୟ ଯୋଗାଇ ଦେଉଥିବା ସ୍ଥଳେ ପିଲାଙ୍କ ସଂଖ୍ୟା ହ୍ରାସ ପାଇବା ସରକାରଙ୍କ ଦୂର ଦୃଷ୍ଟିର ଅଭାବକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସରକାରୀ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଅବସ୍ଥାକୁ ଦେଖି ସମସ୍ତେ ଘରୋଇ ସ୍କୁଲ ମୁହାଁ ହେବାକୁ ଲାଗିଛନ୍ତି । ବହୁସ୍ଥାନରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ଘରୋଇ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଏଠାରୁ ପ୍ରାୟ ୧କି.ମି. ମିଟର ଦୂୂରରେ ଦୁଇଟି ବିଦ୍ୟାଳୟ ଯଥା ଆପ୍ତିରା ଓ ରଇଁତରା ରହିଥିବାରୁ ଏଠାରୁ ପିଲା ଯାଇ ସେଠାରେ ଶିକ୍ଷାଲାଭ କରୁଥିବାରୁ ଏହାର ପିଲାସଂଖ୍ୟା ହ୍ରାସ ପାଉଥିବାର ଜଣାପଡ଼ିଛି । ଏଥିସହ ଆଗରପଡ଼ା ଠାରେ ଶିଶୁମନ୍ଦିର ସହ ଇଂରାଜୀ ମିଡ଼ିୟମ ସ୍କୁଲ ମଧ୍ୟ ଥିବାରୁ ପିଲାସଂଖ୍ୟା ହ୍ରାସ ପାଉଛି । ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି ପିଲାମାନେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଠ ହେବା ଯୋଗୁଁ ଦିନକୁ ଦିନ ସରକାରୀ ବିଦ୍ୟାଳୟରେ ପିଲାସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତତ୍ସହିତ ସରକାରୀ ବିଦ୍ୟାଳୟରେ ପାଠପଢା ସହ ଅନ୍ୟାନ୍ୟ ଦାୟିତ୍ୱ ଶିକ୍ଷକମାନଙ୍କୁ ବହନ କରିବାକୁ ପଡ଼ୁଥିବାରୁ ଏହି ସମସ୍ୟା ଉପୁଜୁଥିବାର ମଧ୍ୟ ଜଣାପଡ଼ିଛି । ବିଦ୍ୟାଳୟଟିର ୫ଟି ଶ୍ରେଣୀ ପାଇଁ ୩ଟି କୋଠରୀରେ ରହିବା ସହ ଏକ ଅଫିସ ଗୃହ ଓ ରୋଷେଇ ଗୃହ ମଧ୍ୟ ଉପଲବ୍ଧ ଅଛି । କିନ୍ତୁ ବର୍ତ୍ତମାନ ସମୁଦାୟ ୯ ଜଣ ପିଲା ଥିବାରୁ ଦୁଇ ଜଣ ଶିକ୍ଷକ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ କରୁଥିବେ ତାହା ସହଜରେ ଅନୁମେୟ । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ନୂତନ ଶିକ୍ଷା ବର୍ଷରେ ପୁରୁଣା ପାଚିକାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ପାଚିକା ଚୟନ କରାଯାଇ ନିୟମାନୁସାରେ ନୂଆ ପାଚିକା ନିଯୁକ୍ତି କରାଗଲା କିନ୍ତୁ କିଛି ଅଭିଭାବକ ପାଚିକା ନିଯୁକ୍ତିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କ ପିଲାଙ୍କୁ ଅନ୍ୟତ୍ର ନାମ ଲେଖାଇଥିବାରୁ ଏହିଭଳି ସମସ୍ୟା ଉପୁଜିଥିବା ଜଣାପଡ଼ିଛି । ପାଠପଢା ଚାଲିବା ସହ ଶିକ୍ଷକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦପ୍ତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଛାତ୍ରଛାତ୍ରୀଙ୍କ ଜାତିଗତ ପ୍ରମାଣ ପତ୍ର ଯୋଗାଡ଼ କରିବା ,ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସମ୍ପାଦନ କରିବା, ବିଦ୍ୟାଳୟ ମରାମତି ଓ ନିର୍ମାଣ କରିବା,ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ଼ ପ୍ରସ୍ତୁତିରେ ସହଯୋଗ କରିବା ପ୍ରଭୃତି ଦାୟିତ୍ୱ ଅର୍ପଣ କରାଯାଉଛି ତେଣୁ ଜଣେ ଶିକ୍ଷକଙ୍କୁ ପାଠପଢା ସହିତ ଏତେ ଗୁଡ଼ାଏ ଦାୟିତ୍ୱ ଦିଆଗଲେ ପାଠପଢା କିପରି ହୋଇପାରିବ ତାହା ସହଜରେ ଅନୁମେୟ । ଏହି ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି ଓ ଏଠାରେ ଅବସ୍ଥାପିତ ୨ଜଣ ଶିକ୍ଷକ ମଧ୍ୟ ଦରମା ପ୍ରତିମାସ ପାଉଛନ୍ତି । ମାଗଣା ଖାଦ୍ୟ ପ୍ରଦାନ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏଥି ନିମନ୍ତେ ଉପୁଜୁଥିବା ସମସ୍ୟାର ସମାଧାନ ବିଭାଗ ଦ୍ୱାରା କରାଯାଉନଥିବାରୁ ବହୁ ବିଦ୍ୟାଳୟରେ ଆବଶ୍ୟକୀୟ ପିଲା ପାଠ ପଢିବା ପାଇଁ ନାହାଁନ୍ତି । ଶିକ୍ଷାର ଉନ୍ନତି ପାଇଁ ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ ଆବଶ୍ୟକୀୟ ପିଲାନଥାଇ ବିଦ୍ୟାଳୟ ଖୋଲା ହେବାର ମାନେ କିଛି ନାହିଁ । କେବଳ ଅର୍ଥଶ୍ରାଦ୍ଧ ହେବା ସାର ହେଉଛି । ଭବିଷ୍ୟତରେ ଏହି ବିଦ୍ୟାଳୟରେ ପିଲା ସଂଖ୍ୟା ବୃଦ୍ଧି ପାଇବା କି ହ୍ରାସ ତାହା ଅନ୍ଧାର ଘେରରେ ରହିଛି । ଅନେକ ସ୍ଥାନରେ ବିଦ୍ୟାଳୟ ନଥିବାରୁ ଛୋଟଛୋଟ ପିଲାମାନେ ଚାଲିଚାଲି ଦୂର ବିଦ୍ୟାଳୟକୁ ପଢିବା ପାଇଁ ଯାଉଛନ୍ତି । ମାତ୍ର ସେପରି ସ୍ଥଳେ ପ୍ରାୟ ୧କି.ମି. ମଧ୍ୟରେ ୨ଟି ବିଦ୍ୟାଳୟ ଖୋଲାଯାଇଛି ତେଣୁ ଚଳନ୍ତି ଶିକ୍ଷା ବ୍ୟବସ୍ଥାକୁ ପ୍ରହସନରେ ପରିଣତ ନକରି ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବି ହେଉଛି ।

