ବାରିପଦା : ଜାନୁଆରୀ ୭ ତାରିଖ ହିଁ ସାନ୍ତାଳୀ ଭାଷା ବିଜୟ ଦିବସଭାବେ ପାଳନର ଯଥାର୍ଥତା ରହିଛି ବୋଲି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍(ମାରିସା) ତଥା ଅଖିଳ ଭାରତ ସାନ୍ତାଳୀ ଭାଷା ଓ ଲିପି ବିକାଶ ମୋର୍ଚ୍ଚାର କେନ୍ଦ୍ରିୟ ସଭାପତି
ଅର୍ଜୁନ ମୁର୍ମୁ ପ୍ରକାଶ କରିଛନ୍ତି । ସାନ୍ତାଳୀ ଭାଷାଭାଷୀ ଲୋକମାନେ ଡ଼ିସେମ୍ବର ୨୨ ତାରିଖକୁ ଭାଷା ଦିବସ ଭାବେ ପାଳନ କରି ଆସୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ,୨୨ ଡ଼ିସେମ୍ବର ୨୦୦୩ ମସିହାରେ ଭାରତୀୟ ସଂସଦର ଲୋକସଭାରେ ସାନ୍ତାଳୀ ସମେତ ବୋଡୋ,ମୈଥିଳୀ ଓ ଡୋଗ୍ରି ଭାଷାକୁ ସମ୍ବିଧାନର ୮ମ ଅନୁସୂଚିରେ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ଏକ ବିଲ୍ ଆଗତ କରାଯାଇଥିଲା ଓ ଏହି ବିଲ୍ ଆଲୋଚନାପରେ ପାରିତ ହୋଇଥିଲା । ପରବର୍ତ୍ତୀ ଦିନ ଅର୍ଥାତ୍ ୨୩ ଡିସେମ୍ବର ୨୦୦୩ ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହୋଇ ପାରିତ ହୋଇଥିଲା । ଏହି ବିଲ୍ ଟି ୭ ଜାନୁଆରୀ ୨୦୦୪ ମସିହାରେ ଭାରତର ରାଷ୍ଟ୍ରପତି ସ୍ୱୀକୃତି ପ୍ରଦାନ କରିଥିଲେ । ସାଧାରଣତଃ ଯେ କୌଣସି ବିଲ୍ ସଂସଦରେ ପାରିତ ହେବାପରେ ମହାମୋହିମ୍ ରାଷ୍ଟ୍ରପତିଙ୍କର ସ୍ଵୀକୃତିର ଆବଶ୍ୟକ ପଡ଼ିଥାଏ । ରାଷ୍ଟ୍ରପତିଙ୍କର ସ୍ୱୀକୃତି ପରେ ହିଁ ବିଲ୍ ଟିର କାର୍ଯ୍ୟକାରୀ କରାଯାଇଥାଏ । ଉପରୋକ୍ତ ବିଲ୍ ଟି ଡ଼ିସେମ୍ବର ୨୨ ତାରିଖରେ ସଂସଦର କେବଳ ଗୋଟିଏ ସଭାରେ ହିଁ ପାଶ୍ ହୋଇଥିଲା । ଅନେକ କ୍ଷେତ୍ରରେ ସଂସଦର ଉଭୟ ଗୃହରେ ବିଲ୍ ଟି ପାଶ୍ ହେଲା ପରେ ମଧ୍ୟ ରାଷ୍ଟ୍ରପତି ସଂସଦକୁ ପୁଣିଥରେ ଫେରାଇବାର ନଜର ରହିଛି । ସଂସଦର ଗୋଟିଏ ଗୃହରେ ବିଲ୍ ଟି ପାଶ୍ ହୋଇଗଲା ବୋଲି ଯେ ବିଲ୍ ଟି ପୂର୍ଣ୍ଣାଙ୍ଗ ହୋଇଗଲା ଏହା ମନେ କରିବା ଯୁକ୍ତି ସଙ୍ଗତ ନୁହେଁ । ଅନେକ ଏହାକୁ ସାନ୍ତାଳ ପ୍ରଗଣାରେ ସ୍ଥାପନା ଦିବସ ସହ ଉଲ୍ଲେଖ କରି ଡିସେମ୍ବର ୨୨ ତାରିଖକୁ ଭାଷାର ବିଜୟ ଦିବସଭାବେ ପାଳନ କରିବାକୁ ଉଚିତ୍ ମନେ କରୁଛନ୍ତି, ଯାହାକି ଠିକ୍ ନୁହେଁ । ତତ୍କାଳୀନ ବିହାରର ସାନ୍ତାଳ ପ୍ରଗଣା ଅଞ୍ଚଳରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସିଦୁ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ନେତୃତ୍ଵରେ ବିରାଟ୍ ସାନ୍ତାଳ ବିଦ୍ରୋହ ୧୮୫୫-୫୬ ରେ ସଂଘଟିତ ହୋଇଥିଲା ଓ ବ୍ରିଟିଶ୍ ସରକାର ୧୮୫୬ ମସିହାର ଡିସେମ୍ବର ୨୨ ତାରିଖରେ ସାନ୍ତାଳ ପ୍ରଗଣା ଅଞ୍ଚଳ ସ୍ଵତନ୍ତ୍ର ସ୍ୱାୟତ ଶାସନ କ୍ଷମତା ପ୍ରଦାନ କରିଥିଲେ । ଡ଼ିସେମ୍ବର ୨୨ ତାରିଖ ୨୦୦୩ ର ଭାରତୀୟ ସଂସଦର ଗୋଟିଏ ଗୃହରେ ବିଲ୍ ଟି ପାଶ୍ ହୋଇଥିବାରୁ ଭାବପ୍ରବଣତାର ଶିକାର ହୋଇ କେତେକ ଲୋକ ଏହାକୁ ଭାଷା ଦିବସଭାବେ ପାଳନ ପାଇଁ ପ୍ରସ୍ତୃତି କରିଆସୁଛନ୍ତି । ବୋଡୋ ଭାଷାଭାଷି ଲୋକମାନେ ଜାନୁଆରୀ ୭ ତାରିଖ ହିଁ ଭାଷା ଦିବସଭାବେ ପାଳନ କରୁଛନ୍ତି । ଏଣୁ ଡିସେମ୍ବର ୨୨ ପରିବର୍ତ୍ତେ ଜାନୁଆରୀ ୭ ତାରିଖ ହିଁ ହେଉଛି ବାସ୍ତବରେ ସାନ୍ତାଳୀ ଭାଷା ବିଜୟ ଦିବସ ବୋଲି ଅର୍ଜୁନ୍ ମୁର୍ମୁ ଗଣମାଧ୍ୟ୍ୟମ ଜରିଆରେ ପ୍ରକାଶ କରିଛନ୍ତି ।

