Photo for the news of alokikarana yojana

ଯୋଜନାକୁ ୯ବର୍ଷ ପୂରିଲା, ଅନ୍ଧାର ଭିତରେ ଆଲୋକ ଖୋଜୁଛି ଆଲୋକୀକରଣ ଯୋଜନା

ରାଜ୍ୟ
  • ବେସାହାରା ପୋଷ୍ୟଗ୍ରାମ

ଆଗରପଡ଼ା: ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ଉକ୍ତ ଯୋଜନା ମଧ୍ୟରୁ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ଅନ୍ୟତମ । ୨୦୧୬ ମସିହା ଡ଼ିସେମ୍ବର ମାସ ୨୧ ତାରିଖରେ ସାଂସଦଙ୍କ ହାତ ପାଣ୍ଠି ଅର୍ଥରେ ଲୋକାର୍ପିତ ହୋଇଥିଲା ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୩ ଗୋଟି ଆଲୋକ ସ୍ତମ୍ଭ ଲୋକାର୍ପଣ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ଯୋଜନାକୁ ଆଜି ୯ବର୍ଷ ପୂରିବ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଏହି ଆଲୋକ ସ୍ତମ୍ଭରୁ ହାତ ଗଣତି କିଛି ସ୍ତମ୍ଭକୁ ଛାଡ଼ି ଦେଲେ ଆଉ ସବୁ ସ୍ତମ୍ଭ ଅକାମି ହୋଇ ପଡ଼ିଥିଲା । ଅନ୍ଧାରରେ ବୁଡ଼ି ରହିଥିବା ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ ଆଲୋକ ଖୋଜିବାରେ ଲାଗିଥିବାବେଳେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ନିଜସ୍ୱ ପାଣ୍ଠିରୁ ୨୦୨୧-୨୦୨୨ ଆର୍ôଥକ ବର୍ଷରେ ମହତାବ ଛକ ଠାରୁ କୁପାରୀ ରାସ୍ତା ପର୍ଯ୍ୟନ୍ତ ୬ଲକ୍ଷ,ସିଟି ସ୍କୁଲ ଠାରୁ କେସିଭିଏମ ହାଇସ୍କୁଲ ପର୍ଯ୍ୟନ୍ତ ସାଢେ ୬ଲକ୍ଷ ଓ କେସିଭିଏମ ହାଇସ୍କୁଲ ଠାରୁ କୁପାରୀ ଛକ ପର୍ଯ୍ୟନ୍ତ ସାଢେ ୬ ଲକ୍ଷଟଙ୍କା ଏହିପରି ୧୯ଲକ୍ଷ ଟଙ୍କା ଖର୍ଚ୍ଚରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା । ଗତ ବର୍ଷ ୨୦୨୩ ଜାନୁଆରୀ ମାସ ୧୭ ତାରିଖରେ ଏହାର ଶୁଭାରମ୍ଭ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ହୋଇଥିଲା । ଉକ୍ତ ବ୍ୟବସ୍ଥାକୁ ୩ବର୍ଷ ପୂରିବାକୁ ବସିଥିବା ବେଳେ ବହୁ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଇନାହିଁ । ଅନେକ ସ୍ଥାନରେ ଲାଗିଥିବା ଆଲୋକ ସ୍ତମ୍ଭ ଅକାମୀ ହେବାକୁ ବସିଲାଣି । ତେଣୁ ସ୍ୱର୍ଗତ ସାଂସଦଙ୍କ ପାଣ୍ଠିରୁ ୯୦ଲକ୍ଷ ବ୍ୟୟ ଅଟକଳରେ ଲୋକାର୍ପିତ ଆଲୋକ ସ୍ତମ୍ଭ ଓ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ପୂର୍ବତନ ବିଧାୟକଙ୍କ ପାଣ୍ଠିରୁ ୧୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ଫେଲ ମାରିଛି । ତେଣୁ ଏକ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଆଲୋକୀକରଣ ଯୋଜନାକୁ ପ୍ରହସନରେ ପରିଣତ ନକରି ବିଭାଗୀୟ ଅଧିକାରୀ ଏହାର ସଫଳ ରୂପାୟନ ପ୍ରତି ଚେଷ୍ଟିତ ହେବାକୁ ପଂଚାୟତବାସୀଙ୍କ ସମେତ ବିଭିନ୍ନ ମହଲରୁ ଦାବି ହେଉଛି ।
ସେମାନେ ଯାହା କହନ୍ତି:
୦୧.ଆଲୋକୀକରଣ ଯୋଜନାରେ ଅକାମୀ ହୋଇ ପଡ଼ିଥିବା ଆଲୋକ ସ୍ତମ୍ଭର ମରାମତି ପାଇଁ ପଂଚାୟତକୁ କୌଣସି ଦାଇତ୍ୱ ପ୍ରଦାନ କରାଯାଇନାହିଁ । କେବଳ ବିଦ୍ୟୁତ୍ ବିଲ ପଇଠ ପାଇଁ ନିର୍ଦ୍ଦେଶ ଅଛି । ତେଣୁ ଯଦି କେବେ ଏହାର ମରାମତି ପାଇଁ ବିଡ଼ିଓ କିମ୍ବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ତରଫରୁ ନିର୍ଦ୍ଦେଶ ଆସେ ତେବେ ତାକୁ ଆମେ ପାଳନ କରିବୁ । (ବୀରକିଶୋର ନାୟକ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ପୁରୁଷଣ୍ଢ)
୦୨.ଅନ୍ଧାରରେ ବୁଡ଼ି ରହିଥିବା ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ ଆଲୋକ ଖୋଜୁଛି ସତ କିନ୍ତୁ ଏହାର ମରାମତିରେ ପଂଚାୟତର କୌଣସି ଭୂମିକା ନାହିଁ । ଉକ୍ତ ଯୋଜନାରେ ନିଜକୁ ନିୟୋଜିତ କରିଥିବା ସଂସ୍ଥାର ଏହାକୁ ମରାମତି କରିବାର ଭୂମିକା ରହିଥିବା ବେଳେ ଉକ୍ତ ସଂସ୍ଥା ଏଥିରୁ ନିବୃତ ରହୁଛି । ତେଣୁ ବିଡ଼ିଓ ଏହାର ମରମତି ପାଇଁ ଉକ୍ତ ଯୋଜନାରେ ନିୟୋଜିତ ହୋଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେଲେ ଉକ୍ତ ଯୋଜନା କାର୍ଯ୍ୟକ୍ଷମ ହୋଇପାରନ୍ତା । (ପ୍ରକାଶ ବିଶ୍ୱାଳ,ସରପଂଚ,ପୁରୁଷଣ୍ଢ ପଂଚାୟତ)
୦୩.ଆଗରପଡ଼ା ତିନୋଟି ଜିଲ୍ଲା ବାଲେଶ୍ୱର,ଭଦ୍ରକ ଓ କେନ୍ଦୁଝରର ମଧ୍ୟ ଭାଗରେ ଅବସ୍ଥିତ ହୋଇଥିବା ବେଳେ ବ୍ୟବସାୟ ଦୃଷ୍ଟି କୋଣରୁ ଉକ୍ତ ଅଂଚଳର ଭୂମିକା ଗୁରୁତ୍ୱ ବହନ କରୁଛି । କିନ୍ତୁ ଏହିପରି ସ୍ଥଳେ ସନ୍ଧ୍ୟା ସମୟରେ ଉକ୍ତ ଅଂଚଳ ଅନ୍ଧାରରେ ରହୁଛି । ଯାହାକି ଆଲୋକୀକରଣ ଯୋଜନାକୁ ପ୍ରହସନରେ ପରିଣତ କରିଛି । ବଜାର ଅଂଚଳରେ ଲାଗିଥିବା ଆଲୋକ ସ୍ତମ୍ଭ ସଂପୂର୍ଣ୍ଣ ଅକାମୀ ହୋଇପଡ଼ିଥିବାରୁ ବିଭିନ୍ନ ଦୃଷ୍ଟି କୋଣରୁ ଜନସାଧାରଣ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ଜନ ସାଧାରରଙ୍କ ସ୍ୱାର୍ଥକୁ ଆଖିରେ ରଖି ପ୍ରଶାସନ ଏହାର ମରାମତି ପାଇଁ ଚେଷ୍ଟିତ ହେବା ନିହାତି ଆବଶ୍ୟକ । (ମନ୍ମଥ ଦାସ,ଯୁବ ସମାଜସେବୀ,ଆଗରପଡ଼ା)
୦୪.ଏକ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଯୋଜନାକୁ ୯ବର୍ଷ ପୂରିବ କିନ୍ତୁ ଯୋଜନାର ସଫଳ ରୂପାୟନ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାପତି ଓ ବ୍ଲକ ଅଧ୍ୟକ୍ଷ ଆଗରପଡ଼ା ଅଂଚଳର ବାସିନ୍ଦା ହୋଇଥିବା ବେଳେ ଉକ୍ତ ଯୋଜନା ଫେଲ ମାରିବାକୁ ବସିଥିବାରୁ ଏହା ମଧ୍ୟ ଉଭୟଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ଉଭୟ ଜନପ୍ରତିନିଧି ଫେଲ ମାରିବାକୁ ବସିଥିବା ଯୋଜନାର ପୁନଃ ଉଦ୍ଧାର ପାଇଁ ଚେଷ୍ଟିତ ହେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।(ବିନୋଦ କୁମାର ଧଳ ସାମନ୍ତ,ନିର୍ଦ୍ଦେଶକ,କଳିଙ୍ଗ କମ୍ପ୍ୟୁଟର୍ସ,ଆଗରପଡ଼ା)

 

Shrutilipi ad