
ସଂଗ୍ରାମ କେଶରୀ ମହାନ୍ତି
ଏବେ ଓଡ଼ିଶା ବିଧାନସଭା ଦ୍ୱାରା ପାରିତ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବେତନ ବୃଦ୍ଧି ପ୍ରସ୍ତାବକୁ ଶୁଣି ଗୋଟିଏ କଥା ମନେପଡ଼େ । ପ୍ରାଣ ସହିରେ କି ନ ଶୁଣିଲା ଏ ସ୍ମୃତିରେ ମେଣ୍ଢାଚରା ପିଲା ପଣ୍ଡା ସାଜିଲେଣି ପୂଜିବାକୁ ବିଷ୍ଣୁ ମୂର୍ତ୍ତିରେ |
ଓଡ଼ିଶାରେ ମୁଣ୍ଡପିଛା ଆୟ ଜାତୀୟ ସ୍ତରରୁ ଯଥେଷ୍ଟ ତଳେ । ବିପିଏଲ୍ ତାଲିକା ଲମ୍ବା । ଦାରିଦ୍ର୍ୟତାର ସୀମାରେଖା ତଳେ ଏବେବି କୁଆଡ଼େ ଅନେକ ଲୋକ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା, ହବିଷ ଯୋଜନା, ତୀର୍ଥ ଯୋଜନା ଇତ୍ୟାଦି । ତେବେ ଏସବୁ ସତ୍ୱେ ମନ୍ତ୍ରୀ ବିଧାୟକମାନେ ଅନ୍ୟ ପ୍ରଗତିଶୀଳ ରାଜ୍ୟମାନଙ୍କ ଠାରୁ ସର୍ବୋଚ୍ଚଦରମା ନେବେ ଏହା କେତେ ଦୂରୁ ନ୍ୟାୟ ସଙ୍ଗତ ଓ ଦେଶଭକ୍ତି ବା ସେବା । ସବୁଠାରୁ ବଡ଼କତା ଏହାକୁ ସବୁଦଳର ବିଧାୟକମାନେ ସମର୍ଥନ କରିବା । ଏମାନଙ୍କ ଦଳମାନଙ୍କର ନିତ୍ୟ ଆଦର୍ଶ ପରା ଅଲଗା ନିର୍ବାଚନ ବେଳେ କିଏ କହୁଚି ଭୋଟ ଚୋରି ହେଉଛି, କିଏ କହୁଛି ବଂଶଗତ ରାଜନୀତି । କିଏ କହୁଛି ଏ ଦୁର୍ନିତି କଥା । ତେବେ ଏତେବେଳକୁ ସମସ୍ତେ ଚତୁରେ ଚତୁରେ କେଳକୋଳି । କହନ୍ତି ମଇଁଷି ସିଂହ ଫଟା ଜୁଟିଲା ବେଳକୁ ଗୋଟା । କୁଆଡ଼େ ଗଲା ୟାଙ୍କ ସେବାପଣିଆ । ଯେଉଁ ରାଜା ରାଜକୋଷର ଧନ ନିଜ ସୁଖ ପାଇଁ ବ୍ୟୟ କରନ୍ତି ସେ କଣ ଜନହୀତକାରୀ ରାଜା । ରାଜକୋଷରେଥିବା ଧନ ପ୍ରଜାଙ୍କ କଷ୍ଟଲବ୍ଧ ସମ୍ପତି । ଏହା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ସୌନ୍ଦର୍ଯ୍ୟ ବୃଦ୍ଧିରେ, ଦରମା ବୃ୍ଦ୍ଧିରେ ବ୍ୟୟ ହେଲେ ଏହା ସରକାରଙ୍କର ରାଜ୍ୟର ବିକାଶ ପାଇଁ କେତେ ଆନ୍ତରିକାତ ସେଥିରୁ ବୁଝାପଡ଼େ । ଏମାନେ ଜନସେବକ କିପରି ହେଷଲ ଲାଭଜନକ ପଦବୀରେ ଥାଇ ।
ଛୋଟବେଳେ ଆଈମା କାହାଣୀରୁ ଗୋଟିଏ କାହାଣୀ ଆଙ୍ଗୁଠି ମାନଙ୍କୁ ନେଇ । ସେଇଟି ହେଲା କାଣୀ ଆଙ୍ଗୁଠି କହିଲା ମାଲୋ ମା ଭୋକ କଲାଣି । ପରୀ ଆଙ୍ଗୁଠି କହିଲା କାହୁଁ ଆଣିବା । ମଝି ଆଙ୍ଗୁଠି କହିଲା କରଜ କରିବା । ବିଶି ଆଙ୍ଗୁଠି କହିଲା କାହୁଁ ଶୁଝିବା । ବୁଢ଼ା ମିଆଁ କହିଲା ଖାଇ ପିଇ ପଳେଇବା । କଥାଟି ଏବେ ଆମ ବିଧାନସଭାରେ ପାରିତ ବିଧାୟକ, ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କ ୪ ଗୁଣା ବେତନ ବୃଦ୍ଧି ପାଇଁ ଉପାଦେୟ ମନେହୁଏ । ୫ ବର୍ଷ ପରେ ଭବିଷ୍ୟତ ପାଇଁ ଆମ ବିଧାୟକମାନେ ପୁରା ଏବେଠୁ ସଚେତନ । ପୂର୍ବ ସରକାର କିଛି କରିନାହାନ୍ତି ସବୁ ବିଗାଡ଼ ି ଦେଇଛନ୍ତି ଆମେ ସବୁ ସଜାଡ଼ୁଛୁ ଏପରି ପ୍ରତି ସଭାସମିତିରେ କାନ୍ଦି କାନ୍ଦି ଯାହା ବର୍ତମାନ ମିଳୁଛି ତାହା ବାନ୍ଧିବାରେ ଡ଼େରି କରନାହାନ୍ତି ଆମ ପ୍ରତିନିଧିମାନେ । ଏମାନଙ୍କ ଭିତରୁ ଖୁବ୍ କମ୍ ବିଧାୟକ ବିଧାନସଭାରେ ଆଲୋଚନାରେ ଭାଗନେଉଛନ୍ତି । ଅନେକ ମନ୍ତ୍ରୀ ତ ସଚିବଙ୍କ ଦ୍ୱାରା ଲୋଖଯାଉଥିବା ଉତରକୁ ବିଧାନସଭାରେ ପାଠ କରୁଛନ୍ତି । ଏମାନେ କେବଳ ଆମ ଦେଖିବା ପାଇଁ ଅଲଗା ଅଲଗା ରାଜନେତୌକ ଦଳର । ନିଜର ସ୍ୱାର୍ଥ ପାଇଁ ଏାମନେ ଏ ଦଳରୁ ସେ ଦଳକୁ ରାତା ରାତି ଡିଆଁ ମାରିବେ ।
ଏମାନଙ୍କ ପାଇଁ ସବୁ ସମ୍ଭବ ଆମ କଷ୍ଟ ଲବ୍ଧ ରୋଜଗାର ଟଙ୍କାରେ ଏମାନେ ୨ଟଙ୍କା ଚାଉଳ ଯୋଜନା, ସୁଭଦ୍ରା ଯୋଜନା, କାଳିଆ ଯୋଜନା ଇତ୍ୟାଦି କରିବେ । ମେକ୍ ଇନ୍ ଓଡ଼ିଶା, ମେକ୍ ଇନ୍ ଇଣ୍ଡିଆ ଏମିତି କେତେ କଣ କରି ବିଦେଶ ବୁଲିବେ । ସେସବୁ ଆମ ମୁଣ୍ଡରେ କରଜ ଲଦି ବୁମାମିଆଁ ମାନେ ବୁଢ଼ାଆଙ୍ଗୁଠି ପରି ଖାଇପିଇ ପଳେଇବେ । କହନ୍ତିନି – ବଚନ ମଧୁର ତିଳକ ସରୁ – ଚିତାକଟାରେ ଏ ଅଟନ୍ତି ଗୁରୁ ।
ଅତୀତରେ ଜଣେ ମୁଖ୍ୟମନ୍ତ୍ରୀ ମାତ୍ର ଏକ ଟଙ୍କା ଦରମା ନେଉଥିଲେ । ସେ ଆଦର୍ଶକୁ ଆମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କେତେ ସଭାସମିତିରେ ବଖାଣୁଛନ୍ତି । ଆମ ଗାଁ ଗହଳିର ଯୁବକମାନେ ଏଥିରୁ ଶିକ୍ଷାଲାଭ କରୁଛନ୍ତି କି ଏମାନେ ଆମ ଭିତରେ ରାଜନୀତି ପୁରାଇ ଗାଁରେ ଗାଁରେ ଭାଇ ଭାଇ ଭିତରେ ବିବାଦ ସୃଷ୍ଟି କରି ନିଜେ କେମିତି ସ୍ୱାର୍ଥ ସାଧନ ପାଇଁ ସମସ୍ତେ ଏକାଠି ହେଲେ । ତେବେ ଆମେ କାହିଁକି ଭାଇ ଭାଇ ଭିତରେ ରାଜନୀତି ପାଇଁ ପିଣ୍ଡ କାଟିଦେବା । ଏମାନଙ୍କ ଦରମା ଯଦି ବୃଦ୍ଧି ହେବ ତେବେ ଶିକ୍ଷାଗତ ଯୋଗ୍ୟତା କଣ ହେବ ତାହ କାହିଁକି ସ୍ଥିର କରାନଯିବ, ବୟସ କାହିଁକି ସ୍ଥିର କରାନଯିବ । କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ଆବାସକାଳୀନ ପ୍ରାପ୍ୟକୁ ୨୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ତାହା ଏ ପର୍ଯ୍ୟନ୍ତ ଲାଗୁ କରିନାହାନ୍ତି । ସେଥିପାଇଁ କଣ ରାଜ୍ୟର ଆର୍ଥିକ ସମ୍ବଳ ବିଚାର କରଯାଉଛି । ବିଧାୟକଙ୍କ ପାଇଁ ପରା ରାଜକୋଷ ଖୋଲା । ଏବେ ମନ୍ତ୍ରୀମାନଙ୍କ କ୍ୱାଟରକୁ ସଜାଇବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ତେବେ ଏସବୁ ବେଳକୁ ଅର୍ଥ ବିଭାଗ ଅନୁମୋଦନ ପ୍ରକ୍ରିୟା ଯାହା ସାଧାରଣ ସରକାରୀ କର୍ମଚାରୀଙ୍କ ପାଇଁ କରାଯାଇଛି ନାଲିଫିତା ତଳେ ସେସବୁ ନିୟମ କାନୁନ କୁଆଡ଼େ ଉଡ଼ିଯାଉଛି । ୟାଙ୍କ ପାଇଁ ଫିଟ୍ କମିଟି ବସିଲା କେତେବେଳେ । ଯଦି ଜନପ୍ରତିନିଧିମାନେ ମୋଟା ଅଙ୍କର ଦରମା ନେବେ ତେବେ ତାଙ୍କୁ ମାନ୍ୟବର କାହିଁକି କୁହାଯିବ । ସେମାନେ କିପରି ଲୋକସେବକ । ଏମାନେତ ସେଥିପାଇଁ ପାଉଣା ନେଉଛନ୍ତି । ତାଙ୍କୁ ବିଧାନସଭା କ୍ୟାଂଟିନ୍ରେ ସବୁଠାରୁ କମ୍ ମୂଲ୍ୟରେ କାହିଁକି ଭଲ ଖାଦ୍ୟ ଯୋଗାଇ ଦିଆଯିବ । ଜନପ୍ରତିନିଧିମାନେ କାହିଁକି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାର ସୁବିଧା ପାଇବେ । ଏସବୁ କ୍ରମେ ଆଲୋଚନାର ବିଷୟ ହେବ ଏବଂ ଏହା ଦ୍ୱାରା ଶାସକ ବା ନେତା ମନ୍ତ୍ରୀଙ୍କ ପ୍ରତି ଆଉ ଲୋକମାନଙ୍କର ସମ୍ମାନ ରହିବ ନାହିଁ । ଏହା ଗଣତନ୍ତ୍ରର ଶୁଭ ଲକ୍ଷଣ ନୁହେଁ ଏବଂ ଏହା ଗଣ ଅସନ୍ତୋଷରେ ପରିଣତ ହେବ ।
ସିଡ଼ିଏ, ମର୍କତ ନଗର, କଟକ

