ବାରିପଦା : ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଶୁଭ ଉଦଘାଟନ ହୋଇଯାଇଛି।
ଜିଲ୍ଲା ମତ୍ସ୍ୟ ସମ୍ପଦ ଓ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟର ମିଳିତ ସହଯୋଗ ତଥା ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ରମଣୀ ରଞ୍ଜନ ବିଶ୍ବାଳ, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ, ଶାମା ଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ, ଏସ ଡି ଭି ଓ ରାଇରଙ୍ଗପୁର ଶ୍ରୀ ସୁଶାନ୍ତ କୁମାର ସିଂ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା. ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହ ତା’ଙ୍କ ବକ୍ତବ୍ୟରେ କହିଥିଲେ ଯେ ତୃଣ ମୂଳ ସ୍ତରରେ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ଏବଂ ଯୋଗ୍ୟ ହିତାଧିକାରୀ କିପରି ଏହାର ସୁଯୋଗ ନେଇ ଲାଭାନ୍ବିତ ହୋଇପାରିବେ ବିଶେଷ କରି ଗ୍ରାମାଞ୍ଚଳ ଚାଷୀ ମାନଙ୍କ ଆୟ କିପରି ଦ୍ବିଗୁଣିତ ହେବ ଏବଂ ଆୟରେ ସ୍ଥାୟୀତ୍ୱ ରହିବ ଯଦ୍ୱାରା ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବି ହେବେ ସେଇ ବିଷୟରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦେଶ୍ୟ ଏବଂ ଏହି ମେଳା ୨ ଦିନ ଧରି ଚାଲିବ ବୋଲି ଉଲ୍ଲେଖ କରିଥିଲେ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସାହୁ ଚାଷୀମାନଙ୍କ ପାଇଁ ଉଦିଷ୍ଟ ବିଭାଗର ବିବିଧ ଜନ କଲ୍ୟାଣକାରି ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଏଗୁଡିକର ସୁଯୋଗ ନେବାପାଇଁ ଆହ୍ୱାନ ଜଣାଇଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା ମନ୍ତ୍ରୀ କହିଥିଲେ,ଚାଷୀ ହସିଲେ ପରିବାର ହସିବ, ଗାଁ ହସିବ,ରାଜ୍ୟ ହସିବ,ଦେଶ ହସିବ । ସେ କହିଥିଲେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ବର୍ତ୍ତମାନ ପ୍ରତିଯୋଗୀମୂଳକ ଦୁନିଆରେ ସମସ୍ତଙ୍କୁ ସରକାରୀ ଚାକିରୀର ସୁଯୋଗ ମିଳି ପାରୁନାହିଁ।ଚାକିରୀ ନମିଳିଲେ ଯୁବପିଢ଼ି ହତାଶ ନହୋଇ ଅର୍ଥ ଉପାର୍ଜନ ପାଇଁ ନିଜର ଦକ୍ଷତା ଓ ପାରଦର୍ଶିତାକୁ ବିନିଯୋଗ କରି ନିଜ ଉଦ୍ୟମରେ ଆତ୍ମ ନିର୍ଭରଶୀଳ ହେବା ଉଚିତ ।
ସେହିପରି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର କୃଷକ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କୃଷିରେ କେବଳ ଧାନ ଚାଷକୁ ସୀମିତ ନରଖି, ଧାନ ସହିତ ପନିପରିବା,ରବି ଚାଷ, ମାଣ୍ଡିଆ ଜାତୀୟ ଶସ୍ୟ ଚାଷ,ଡାଲି ଜାତୀୟ ଚାଷ, ଛତୁ ଚାଷ,ମତ୍ସ୍ୟ ଚାଷ,ଗୋପାଳନ, ଛେଳି,ମେଣ୍ଢା,କୁକୁଡା,ବତକ,ଫୁଲ ଚାଷ,ମହୁଚାଷ,ଟସର ଚାଷ ଇତ୍ୟାଦି ।ଏହି ସବୁ ଚାଷରେ ସରକାର ବିହନ,ସାର,କୀଟନାଶକ, ମଣ୍ଡିରେ କ୍ରୟ ବିକ୍ରୟ, ରିହାତିରେ କୃଷି ଯନ୍ତ୍ରପାତି ଯୋଗାଣ ,କୃଷି ଋଣ,ଅବଶ୍ୟକ ସ୍ଥଳେ କୃଷି ଋଣ ସୁଧ ଛାଡ,କୃଷି ବୀମା, ପି.ଏମ. କିଷାନ ଓ ସି.ଏମ. କିଷାନ ଯୋଜନାରେ ଆର୍ଥିକ ସହାୟତା , ପ୍ରଧାନମନ୍ତ୍ରୀ ଫସଲ ବୀମା ,ମାଗଣାରେ ମାଛ ଯାଆଁଳ,ପୋଖରୀ ଖନନ,କାମଧେନୁ ଓ ଗୋ ମିଶନ ଯୋଜନାରେ ଅଧିକ କ୍ଷୀର ଉତ୍ପାଦନକ୍ଷମ ଗାଈ ଵଣ୍ଟନ ଇତ୍ୟାଦି ବ୍ୟବସ୍ଥା କରାଯାଇଛି ।ତେଣୁ ଆଜିର ଶିକ୍ଷିତ ଯୁବକମାନେ ଚାକିରୀ ପଛରେ ନ ଗୋଡ଼ାଇ ନିଜ ଅଂଚଳର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ନିଜ କ୍ଷେତରେ ଅର୍ଥ ଉପାର୍ଜନକ୍ଷମ ପ୍ରକଳ୍ପ ପ୍ରସ୍ତୁତ କରିବା ଉଚିତ। ଯଦ୍ୱାରା ନିଜେ ଉପାର୍ଜନକ୍ଷମ ହୋଇ ସ୍ୱାବଲମ୍ବୀ ହେବା ସହିତ ଅଂଚଳର ବିକାଶରେ ନିଜର ସହଭାଗୀତାକୁ ପ୍ରତିପାଦନ କରିପାରିବେ। ଅଧିକ ଉତ୍ପାଦନ ନିମନ୍ତେ ସରକାରଙ୍କ ସବୁ ବିଭାଗ ଆପଣମାନଙ୍କ ଘର ପାଖରେ ପହଞ୍ଚି ବୈଷୟିକ ଜ୍ଞାନ କୌଶଳ ତାଲିମ ଦେବେ ଯଦ୍ୱାରା କ୍ଷୁଦ୍ର ଚାଷୀ ଠାରୁ ବଡ଼ ଚାଷୀ ଉପକୃତ ହେବେ।ଯୁବକମାନେ ଵାହାର ରାଜ୍ଯକୁ ନଯାଇ ନିଜ ଘର ପାଖରେ କୃଷି କାର୍ଯ୍ୟ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ।
ନିମନ୍ତ୍ରିତ ଅନ୍ୟାନ୍ୟ ଅତିଥି ବୃନ୍ଦ ଉକ୍ତ ସମ୍ୱନ୍ୱିତ କୃଷି ମେଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗରେ ଚାଷ କରି କିପରି ଉତ୍ପାଦନ ବଢାଇ ହେବ ଏବଂ ଆର୍ଥିକ ଉନ୍ନତି ଘଟିବ ସେ ବିଷୟରେ ଉଲ୍ଲେଖ କରିଥିଲେ।
ଏହି ମେଳାରେ ସ୍ଵୟଂସହାୟିକା ଗୋଷ୍ଠୀ ତରଫରୁ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ଷ୍ଟଲ ଯଥା ଧୂପ,ବାଉଁଶ କାରିଗର,ବିଭିନ୍ନ ସରକାରୀ ବିଭାଗ ମତ୍ସ୍ୟ,ଉଦ୍ଯାନ,କୃଷି ,ପ୍ରାଣୀ ବିଭାଗ ତରଫରୁ ଷ୍ଟଲ କରାଯାଇଥିଲା ।ଚାଷୀମାନେ ଵୁଲି ବୁଲି ଷ୍ଟଲ ଦେଖିଵା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ।
ମେଳାରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଧାରିତ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଅତିଥିଗଣ କୁଳିଅଣାର ପ୍ରଦୀପ କୁମାର ପରିଡା ମହାନ୍ତି , କୁଳିଅଣା କେଉଟୁଣୀମାରିର ଓମ ସାଇ ସ୍ଵୟଂସହାୟିକା ଗୋଷ୍ଠୀ,ବଡସାହିର ଶୁଭ ଲକ୍ଷ୍ମୀ ମହାନ୍ତି, କରଞ୍ଜିଆର ମା କାଳୀଜାଈ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସଫଳ ଚାଷୀଭାବେ ପ୍ରୋତ୍ସାହନ ରାଶି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ-କର୍ମଚାରୀ,ବ୍ୟାଙ୍କ କର୍ମକର୍ତ୍ତା, ବୀମା କର୍ମଚାରୀ,ଆଗ୍ର ଇଣ୍ଡଷ୍ଟ୍ରିଜର କର୍ମକର୍ତ୍ତା, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ବିଭିନ୍ନ ବର୍ଗର ଚାଷୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

