ବାରିପଦା : ସ୍ଥାନୀୟ ମହାରାଜାକୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ଆଧ୍ୟାତ୍ମିକ ଅନୁଷ୍ଠାନ ଗୀତାବାଣୀ ପ୍ରଚାର ସଂଘ ଆନୁକୂଲ୍ୟରେ ଏକ ଶ୍ରୀମଦ୍ ଭଗବଦ୍ ଗୀତା କୁଇଜ ପ୍ରତିଯୋଗିତା ଓ ଆଲୋଚନା ଚକ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଗୀତା ପ୍ରଚାରକ ଭାଗବତ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ସଫଳ ଓ ସାର୍ଥକ ମଣିଷ ହେବା ପାଇଁ ଶ୍ରୀମଦ୍ ଭଗବଦ୍ ଗୀତାର ବାଣୀକୁ ଆଧାର କରି ସତ୍ୟବାଦିତା, ନିର୍ଭିକତା ଓ ଏକାଗ୍ରତା ଭଳି ଗୁଣର ଅଧିକାରୀ ହେବାକୁ ପରାମର୍ଶ ଦେବା ସହିତ ତ୍ୟାଗ ହିଁ ଗୀତାର ସାରମର୍ମ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ପ୍ରବକ୍ତା ଡା. ପାର୍ଥସାରଥୀ ଜେନା ଜୀବନରେ ଦେଖାଯାଉଥିବା ସମସ୍ତ ସମସ୍ୟାର ସମାଧାନର ପନ୍ଥା ଶ୍ରୀମଦ୍ ଭଗବଦ୍ ଗୀତାରେ ନିହିତ ବୋଲି ଉଲ୍ଲେଖ କରିବା ସହ ଜୀବନକୁ ସୁଧାରିବା ପାଇଁ ଗୀତାକୁ ଆଶ୍ରୟ କରିବା ଉଚିତ ବୋଲି ମନ୍ତବ୍ୟ ଦେଇଥିଲେ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶିକା ସୁଶ୍ରୀ ଭାରତୀ ବେବର୍ତ୍ତା ଅନ୍ୟତମ ବକ୍ତାଭାବେ ଛାତ୍ରଛାତ୍ରୀମାନଙ୍କର ଶୃଙ୍ଖଳିତ ଜୀବନ ପାଇଁ ଗୀତାର ବାଣୀକୁ ସମସ୍ତେ ଆଚରଣରେ ପ୍ରକାଶ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗୀତାରେ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ନୈତିକ ଦାସ ଓ ନବଜିତ୍ ସାସମଲ ତଥା ଅଷ୍ଠମ ଶ୍ରେଣୀ ଛାତ୍ର ଅଙ୍କିତ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରି ବେଦଜ୍ଞ ନିତ୍ୟାନନ୍ଦ ପଣ୍ଡା ସ୍ମୃତି ପୁରସ୍କାର ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପୁଷ୍ପଲତା ସାହୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

