ବାରିପଦା: ଚଳିତ ଶିକ୍ଷାବର୍ଷ ଶେଷ ହୋଇଆସୁଥିବା ବେଳେ ବାରିପଦା ବ୍ଲକର ଗୁଞ୍ଜୁସାହି ଅନ୍ତର୍ଗତ ବିରପାଲିଆ ଗାଁ ର ଭାଗିରଥି ସୋରେନ ଓ ଚୂଡ଼ାମଣି ସୋରେନଙ୍କ ପୁଅ ବାଇଧର ସୋରେନ ୫ମ ଶ୍ରେଣୀ ପାସ୍ କରିବା ପରେ କୌଣସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇ ପାରିନଥିଲେ I ଏହାର ଏକମାତ୍ର କାରଣ ଥିଲା ଯେ ତାଙ୍କ ଘର ପାଖାପାଖି କୌଣସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହଁ I ପିଲାଟି ସାରୁଝରଣ ପ୍ରାଥମିକ ବିଦ୍ୟାଳୟରେ ପଢ଼ିସାରିବା ପରେ ଉଚ୍ଚ ଶ୍ରେଣୀରେ ପଢି ନପାରି ଘରେ ବସି ଯାଇଥିଲେ I ଗୁଞ୍ଜୁସାହି ସି ଆର ସି ସି ଗୀତିକା ବେହେରା ନିଜ କ୍ଲଷ୍ଟର ଅଂଚଳର ଗ୍ରାମବାସୀଙ୍କ ପାଖରୁ ଖବର ପାଇ ବାରିପଦା ବି ଆର ସି ସି ତପସ୍ୱିନୀ ଦାଶଙ୍କୁ ଏ ବିଷୟରେ ଅବଗତ କରାଇଥିଲେ I ବି ଆର ସି ସି ନିଜେ ତୁରନ୍ତ ପଦକ୍ଷେପ ନେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂଙ୍କୁ ଜଣାଇବା ପରେ ଶ୍ରୀ ସିଂ ନିଜେ ତାଙ୍କ ବାପା ମା’ ଙ୍କ ସହ ଆଲୋଚନା କରି ସତ୍ୟାସତ୍ୟ ଜାଣିବା ପରେ ବଳାରାମଙ୍କୁ ପିତାଙ୍କ ସହ ବାରିପଦାର ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଂଚି ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସହ ଆଲୋଚନା କରି ଉକ୍ତ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ I ପିଲାକୁ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ୱାର୍ଡେନ ତଥା ଅନ୍ୟ ହଷ୍ଟେଲ କର୍ମଚାରୀ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ I ପିଲାର ଉତ୍ସାହ ବୃଦ୍ଧି ଲାଗି ପିଲାକୁ ସଂଗେ ସଂଗେ ନୂଆ ଖାତା, ପେନ, ପେନସିଲ, କଲର ବକ୍ସ ଦିଆ ଯାଇଥିଲା I ଶ୍ରୀ ସିଂ ହଷ୍ଟେଲ ବୁଲି ଅନ୍ତେବାସୀଙ୍କ ସହ ଆଲୋଚନା କରିବା ସହ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ I

