ବାରିପଦା : ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ବାରିପଦା ସହରାଞ୍ଚଳ ଅନ୍ତର୍ଗତ ୨୮ଟି ୱାର୍ଡରେ ଆଦ୍ୟାବଧି ଚିହ୍ନିତ ହୋଇଥିବା ନୂତନ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପନଗରପାଳିକା ଶ୍ରୀମତୀ ସୀମା ଦାସ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ନଗରପାଳ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବାରିପଦା ପୌରାଞ୍ଚଳର ୨୮ଟି ୱାର୍ଡରେ ଅଦ୍ୟାବଧି ନୂତନ ୪୨୮ଟି ପରିବାରଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନିତ କରାଯାଇଛି ଏବଂ ସେଥି ମଧ୍ୟରୁ ଆଜି ଏହି କାର୍ଯ୍ୟକ୍ରମ ରେ ୧୬୭ ଜଣଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଏହି ନୂତନ ରାସନ କାର୍ଡ ପ୍ରଦାନ କରାଯିବ। ପରବର୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ଏହି କାର୍ଡ ପ୍ରଦାନ କରାଯିବ।
ମୁଖ୍ୟ ଅତିଥି ମନ୍ତ୍ରୀ ଡ. ମହାପାତ୍ର ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିବା ଅବସରରେ କହିଥିଲେ ଯେ, ବାରିପଦା ସହରରେ ଆଗକୁ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ବାରିପଦା ସହରକୁ ଏକ ସ୍ମାର୍ଟ ସିଟି କରିବା, ସହର ଭିତରେ ଥିବା ଅନେକ ଗୁଡିଏ ପରିତ୍ୟକ୍ତ ପୋଖରୀକୁ ପୁନଃରୁଦ୍ଧାର ସହ ଏହାର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତାଘାଟର ପ୍ରଶସ୍ତିକରଣ ଇତ୍ୟାଦି ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେବ ଏବଂ ଏଥିପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସଚିବ ଶ୍ରୀ ରାମଚନ୍ଦ୍ର ସୋରେନ, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ ୱାର୍ଡର କାଉନସିଲର, ବିଭଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

