ବାରିପଦା: ବେସରକାରୀ ଉଦ୍ୟମରେ ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକର ଅଗ୍ରଣୀ କୃଷକଙ୍କୁ ଦୀର୍ଷ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସମ୍ବର୍ଦ୍ଧିତ କରାଯିବା ପରମ୍ପରା ସମଗ୍ର ଓଡ଼ିଶାରେ ଅନନ୍ୟ ବୋଲି ଅତିଥିମାନେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାବୁଲାଲ ଅଗରୱାଲା ମେମୋରିଆଲ ଆୱାର୍ଡ ଫାଉଣ୍ଡେସନ ପକ୍ଷରୁ ଦିବଂଗତ ବାବୁଲାଲ ଅଗରୱାଲାଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବୁଧବାର ଆୟୋଜିତ ବାର୍ଷିକ ଜିଲାସ୍ତରୀୟ ବାବୁଲାଲ ଅଗରୱାଲା ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ମତପୋଷଣ କରିଛନ୍ତି। ଏହି ଉତ୍ସବରେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମୁଖ୍ୟବକ୍ତା, ସଦ୍ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ବିଶେଷ ଅତିଥି ଏବଂ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସମ୍ମାନିତ ଅତିଥିଭାବେ କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ସମ୍ଭବ ନ ଥିବାରୁ ଏକ ବିକାଶଶୀଳ ସମାଜ ଓ ରାଷ୍ଟ୍ର ଗଠନ ପାଇଁ କୃଷିକ୍ଷେତ୍ର ଓ କୃଷିଜୀବିମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକ ସଚେତନ ହେବା ପାଇଁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଫାଉଣ୍ଡେସନର ଚେୟାରମ୍ୟାନ ତଥା ଭାରତ କୃଷକ ସମାଜର ଆଜୀବନ ସଦସ୍ୟ ଡ. ବିଜୟ କୁମାର ଅଗରୱାଲାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ସଂଯୋଜକ ରାସେଶ୍ୱର ସାହୁ ସ୍ୱାଗତ ଅଭିଭାଷଣ ଏବଂ ବାରିପଦା କୃଷି ଜିଲା ଅଧିକାରୀ ଜ୍ଞାନବଲ୍ଲଭ ଦାସ ସମ୍ବର୍ଦ୍ଧିତ ବ୍ଲକୱାରୀ ଚାଷୀମାନେ କୃଷି ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଚୟନ କରାଯାଇଥାଏ ବୋଲି ଉଲ୍ଲେଖ କରିଥିଲେ।
ଏହି ଉତ୍ସବରେ ଜିଲାର ୨୬ ବ୍ଲକୱାରି ଶ୍ରେଷ୍ଠ କୃଷକଙ୍କ ମଧ୍ୟରେ ସିଂଗରାୟ ସୋରେନ (ବାରିପଦା), ଗଣେଶ୍ୱର ନାଏକ (ବଡସାହି), ରମେଶ ଟୁଡୁ (ବେତନଟୀ), ବୃନ୍ଦାବତୀ ବେହେରା (ବାଙ୍ଗିରିପୋଷି), ବାସୁଦେବ ସାହୁ (ମୋରଡା), ଶରତ କୁମାର ନାଏକ (ରାସଗୋବିନ୍ଦପୁର), ଯୋଗେଶ୍ୱର ସିଂ (ସାରସକଣା), ଜଗନ୍ନାଥ ନାଏକ (ଶୁଳିଆପଦା), ଦୀନେଶ କୁମାର ନାଏକ (ଶାମାଖୁଣ୍ଟା), ଗଣେଶ କୁମାର ମହାନାୟକ (କୁଳିଅଣା), ଭବାନୀ ଶଙ୍କର ଲେଙ୍କା (ଖୁଣ୍ଟା), ଦେବାଶିଷ ନାୟକ (ଗୋପବନ୍ଧୁ ନଗର), କଳ୍ପଲତା ହାତୀ (ଉଦଳା), ମୀନତି ଦାସ (କପ୍ତିପଦା), ଭବେନ୍ଦ୍ର ମହାନ୍ତ (ବିଶୋଇ), ଦିଗମ୍ବର କୁମ୍ଭକାର (ରାଇରଙ୍ଗପୁର), ବେଙ୍ଗଲୀ ହେମ୍ବ୍ରମ (ବିଜାତୋଳା), ବିରାମ ମାଝୀ (ବହଳଦା), ମାଟା ଗାଗରାଇ (ତିରିଙ୍ଗ), ସାଉନା ଚରଣ ଟୁଡୁ (ଜାମଦା), ରୁଦ୍ରପ୍ରସନ୍ନ ମହାନ୍ତ (କୁସୁମୀ), ଭାସ୍କର ଚନ୍ଦ୍ର ମହାନ୍ତ (ଯଶିପୁର), ବିଶିକେଶନ ମହାନ୍ତ (କରଞ୍ଜିଆ), ଯୋଗେଶ୍ୱର ମହାନ୍ତ (ଠାକୁରମୁଣ୍ଡା), ସଞ୍ଜୟ ତିରିଆ (ରରୁଆଁ) ଏବଂ ପଦ୍ମଲୋଚନ ଗିରି (ଶୁକୃଳୀ) ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। କୃତି ଶିକ୍ଷକ ଡ. ଶଶଧର ବିଶ୍ୱାଳ ଅତିଥିଙ୍କ ପରିଚୟ ପ୍ରଦାନ ଓ ଫାଉଣ୍ଡେସନର ସମ୍ପାଦକ ଡ. ଅକ୍ଷୟ କୁମାର ଅଗରୱାଲା ଧନ୍ୟବାଦ ଅର୍ପଣ କରିଥିଲେ।

