Photo2 for the news of dibyang

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ, ବଞ୍ଚିବାର ରାହା ଖୋଜୁଛନ୍ତି ଦିବ୍ୟାଙ୍ଗ

ରାଜ୍ୟ

ଆଗରପଡ଼ା:୧୯୯୨ ମସିହା ଠାରୁ ସାରା ବିଶ୍ୱରେ ଡିସେସ୍ୱର ମାସ ୩ତାରିଖକୁ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଉଛି । ସରକାରୀ ତଥା ବେସରକାରୀ ଭାବେ ଏହି ଦିବସ ପାଳନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ କରିବା ପାଇଁ ପ୍ରୟାସ ଜାରୀ ରହିଛି । ଏହିପରି ସ୍ଥଳେ ବିଭିନ୍ନ ଆକଳନକୁ ନଜୀରକୁ ନେଲେ ଭିନ୍ନକ୍ଷମଙ୍କ ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଇଛି । ବନ୍ତ ଓ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଅନେକ ଭିନ୍ନକ୍ଷମ ରହିଛନ୍ତି କିଏ ବାପା ଉପରେ ତ ପୁଣି କିଏ ମାଆ ଓ ଭାଇ ଉପରେ ନିର୍ଭର କରି ଚଳୁଛନ୍ତି । ମାତ୍ର ଭିନ୍ନକ୍ଷମଙ୍କ ପାଇଁ ଆଜି ବି ସରକାରୀ ସହାୟତା ଅପହଞ୍ଚ ପାଲିଟିଛି । ଚାକିରୀ ଖଣ୍ଡେ ହେଉ କି ଭତ୍ତା ହେଉ ବା ଟ୍ରାଇସାଇକେଲ୍ ଅବା ପକ୍କାଘର କାହାକୁ ମିଳୁଛି ତ ପୁଣି କାହାକୁ ନାହିଁ । ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଗ୍ରାମରେ ଏକ ବଧିର ବ୍ରାହ୍ମଣ ପରିବାର ଯାହାର ସମସ୍ତେ ବଧିର । ପୁରୋହିତ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ସୁରେଶଙ୍କ ବଡ଼ ପୁଅ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ସମ୍ପୁର୍ଣ୍ଣ ରୋଜଗାର ଶୂନ୍ୟ ହୋଇପଡ଼ିଥିଲା । ସାନ ପୁଅଟି ମଧ୍ୟ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିଲା । ସୁରେଶଙ୍କ ଅନ୍ୟତମ ପୁଅ ବିକାଶ ଗ୍ରାଜୁଏସନ ସାରି ଓଡ଼ିଶା ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ ପାଇଁ ପ୍ରଦତ୍ତ ଦକ୍ଷତା ଭିତ୍ତିକ ତାଲିମ କମ୍ପ୍ୟୁଟର ଉପରେ ସାରିବା ପରେ ସରକାରୀ ସି.ଟି ସହ ଓଟିଇଟି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ସେ ଏଯାବତ କୌଣସି ଠାରେ ଥଇଥାନ ହୋଇପାରି ନାହାଁନ୍ତି । ଅପରପକ୍ଷରେ ବିକାଶଙ୍କ ସ୍ତ୍ରୀ ମେନକା ଯିଏକି ପିଲାଟିଦିନରୁ ବଧିର । ସେ ମଧ୍ୟ ଉଚ୍ଚ ଶିକ୍ଷିତା କିନ୍ତୁ ତାଙ୍କୁ ବି ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ସେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ,ଭଦ୍ରକ ସାଂସଦ ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଚିତ୍ର ଆଙ୍କି ସେମାନଙ୍କ ଫଟୋଚିତ୍ର ସହ ନିଜ ପରିବାରର ଦୁଃଖକୁ ପତ୍ର ମାଧ୍ୟମରେ ଜଣାଇ ତାଙ୍କୁ ଓ ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ସରକାରୀ ଚାକିରୀଟିଏ ପ୍ରଦାନ ପାଇଁ ନିବେଦନ କରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ପାଇପାରିନାହାନ୍ତି । ସେହିପରି ଉକ୍ତ ପଞ୍ଚାୟତ ଅର୍ନ୍ତଗତ ରାମଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣିମା ନାୟକ ଉଠି ବସି ନପାରି ଗତ ୨୧ ବର୍ଷ ଧରି କେବଳ ଶୋଇ ରହୁଥିଲେ । ସରକାରୀ ସହାୟତାକୁ ଅପେକ୍ଷା କରିକରି ଶେଷରେ ସେ ଅକ୍ଟୋବର ମାସରେ ଆଖି ବୁଜି ଥିଲେ । ସରକାରୀ ସ୍ତରରେ ସେ କେବଳ ମାସିକ ୫୦୦ ପରେ ୭୦୦ ଓ ମରିବା ବେଳକୁ ୧୦୦୦ଟଙ୍କା ଉତ୍ତା ପାଉଥିଲେ ।ସ୍ୱାମୀ ସ୍ତ୍ରୀଙ୍କ ସଂପର୍କ ଠିକ୍ ନରହିବାରୁ ସେ ବିବାହର ବର୍ଷେ ପରେ ଆସି ନିଜ ବାପଘରେ ରହୁଥିଲେ । ତାଙ୍କ ବାପା,ମା ଓ ଭାଇଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟଏକ ଭାଇ ଜଜମାନ କାମ କରି ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିଲେ ସୁଦ୍ଧା ପୂର୍ଣ୍ଣିମାକୁ ନିଜ ଘରେ ଆଶ୍ରୟ ଦେଇ ତାଙ୍କ ସେବା ଶୂଶୃଷା କରୁଥିଲେ । ଚାରିଗାଁ ପଂଚାୟତ ଅର୍ନ୍ତଗତ ଚାରିଗାଁର ଗଙ୍ଗାଧର କଟୁଆଳଙ୍କ ପୁଅ ଲକ୍ଷ୍ମୀଧର ୭୭ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳି ପାରି ନଥିଲା । କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ନିମଗଢିଆ ଗ୍ରାମର ଭିନ୍ନକ୍ଷମ ଅଭିମନ୍ୟୁ ଯେନା । ଯାହାଙ୍କ ସ୍ତ୍ରୀ ମଧ୍ୟ ଜଣେ ଭିନ୍ନକ୍ଷମ । ଉଭୟ ଭିନ୍ନକ୍ଷମ ହୋଇଥିବା ବେଳେ ଆର୍ଥିକ ସମ୍ବଳ ନଥିବାରୁ ରହୁଥିବା ଏକ ଛୋଟ ଜାଗାରେ ଥିବା ଭଙ୍ଗା ଦଦରାଘରେ ଜୀବନ ବିତାଇବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସମ୍ପାଦନା କରୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରି ମଧ୍ୟ ସେ ଖଣ୍ଡେ ଆବାସ ପାଇବାରୁ ବଂଚିତ । ଆଡ଼ିଆ ପଂଚାୟତ ଅର୍ନ୍ତଗତ ଆଡ଼ିଆ ଗ୍ରାମର ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସୁମିତ୍ରା ବିଭାଗୀୟ ଅଧିକାରୀଙ୍କ ଭୁଲ ବିବରଣୀ ଯୋଗୁଁ ବହୁ ମାସ ଧରି ପ୍ରକୃତ ଭତ୍ତା ପାଇବାରୁ ବଂଚିତ ହୋଇଥିଲେ । ସେହିପରି ଆଗରପଡ଼ାରେ ବସବାସ କରୁଥିବା ବାରିଗାଁର ବିବେକ ଓ ମାତୃପ୍ରସାଦ ୨ ଭାଇଦିବ୍ୟାଙ୍ଗ ଓ ମେଧାବୀ ଛାତ୍ର । ପାଠପଢା କୁ ଛାଡ଼ି ଦେଲେ ଅନ୍ୟାନ୍ୟ କାର୍ଯ୍ୟ ନିଜେ କିଛି କରିପାରନ୍ତି ନାହିଁ । ତାଙ୍କ ବାପା ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ପୁଅ ୨ ଜଣ ଙ୍କ ପାଇଁ ଦୁଃଖ କେବେ ବି ପ୍ରକାଶ କରନ୍ତି ନାହିଁ ବରଂ ଏହା ଭଗବାନଙ୍କ ଦାନ ବୋଲି କହିଥାନ୍ତି । ଏହିପରି ଅନେକ ଭିନ୍ନକ୍ଷମଙ୍କ ଜୀବନ ଦୁର୍ବିସହ ପ୍ରାୟ । ସମସ୍ତେ ଗରୀବ ଶ୍ରେଣୀୟ ପରିବାର ସଦସ୍ୟ । ଆର୍ଥିକ ଅନାଟନ ସାଙ୍ଗକୁ ଦିବ୍ୟାଙ୍ଗମାନେ ପରିବାରର ବୋଝ ହୋଇପଡ଼ିଛନ୍ତି ।

Shrutilipi ad