ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (ଏମଏସସିବିୟୁ)କୁ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ନେଇ ଉତ୍ତର ଓଡ଼ିଶା ଅଞ୍ଚଳ ପାଇଁ ଉତ୍ତର ଆଞ୍ଚଳିକ ଏଆଇ ହ୍ୟାକାଥନ୍ ୨୦୨୫ ଆୟୋଜନ କରିବା ପାଇଁ ନୋଡାଲ କେନ୍ଦ୍ର ଭାବେ ମନୋନୀତ କରାଯାଇଛି । ଓ.ଏସ୍.ଏ (ଦ ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସ୍) ଓ ଓଡ଼ିଶା ଏଆଇର ପୃଷ୍ଠପୋଷକତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୯ ଡିସେମ୍ବର ୨୦୨୫ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହେବ, ଯାହା କି ଭୁବନେଶ୍ୱରରେ ୧୮ ଡିସେମ୍ବର ୨୦୨୫ ଅନୁଷ୍ଠିତ ହେଉଥିବା ଓଡ଼ିଶା ଏଆଇ ସିମ୍ପୋଜିୟମ୍ର ଏକ ପ୍ରାକ୍-କାର୍ଯ୍ୟକ୍ରମ ଅଟେ । ଓଡ଼ିଶାକୁ ବିଶ୍ୱର ବୌଦ୍ଧିକ ଏଆଇ ରାଜଧାନୀ ଭାବେ ସ୍ଥାପନ କରିବାର ବୃହତ୍ ଉଦ୍ୟମର ଅଂଶ ହିସାବରେ ଓଡ଼ିଶା ଏଆଇ ନୀତି, ଓଡ଼ିଶା ଭିଜନ, ଭାରତ ଏଆଇ ମିଶନ ଓ ବିଶ୍ୱବ୍ୟାପୀ ଏଆଇ ଧାରା ସହ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଏହି ହାକାଥନ ଆୟୋଜନ କରାଯାଉଅଛି । ଏହାର ଉଦ୍ଦେଶ୍ୟ ହେଉଛି ଏଆଇ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଆଞ୍ଚଳିକ ସମସ୍ୟାର ଏଆଇ-ଆଧାରିତ ସମାଧାନ ଖୋଜିବା ଓ ଉଦ୍ଭାବନମୂଳକ ଧାରଣାକୁ ପୁରସ୍କୃତ କରିବା । ଏହି ହ୍ୟାକାଥନ୍ରେ ଡିପ୍ଲୋମା, ସ୍ନାତକ, ସ୍ନାତକୋତ୍ତର, ପିଏଚ୍ଡି ଛାତ୍ରଛାତ୍ରୀ, ବ୍ୟକ୍ତିଗତ ଉଦ୍ଭାବକ ଓ ପଞ୍ଜିକୃତ/ଅପଞ୍ଜିକୃତ ଷ୍ଟାର୍ଟଅପ୍ମାନେ ୫ ଡିସେମ୍ବର ୨୦୨୫ ସୁଦ୍ଧା ଆବେଦନ କରିପାରିବେ । ୯ ଡିସେମ୍ବର ୨୦୨୫ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ୍ ଅନ୍ତିମ ପ୍ରୋଟୋଟାଇପ୍ ଡେମୋ ରହିଛି ଏବଂ ଶ୍ରେଷ୍ଠ ୩ ଟିମ୍ ସିଧାସଳଖ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଆଞ୍ଚଳିକ ହାକାଥନ୍ରେ ପ୍ରଥମ ପୁରସ୍କାର ₹୧୨,୦୦୦, ଦ୍ୱିତୀୟ ପୁରସ୍କାର ₹୮,୦୦୦ ଓ ତୃତୀୟ ପୁରସ୍କାର ଭାବେ ₹୫,୦୦୦ ରାଶି ଆଇ.ଇ.ଇ.ଇ ୫ଜି/୬ଜି ଇନୋଭେସନ ଟେଷ୍ଟ୍ବେଡ୍ ଦ୍ୱାରା ବିଜେତା ମାନଙ୍କୁ ଦିଆଯିବ । ହାକାଥନ ଆୟୋଜନ ପାଇଁ ଆଇ.ଇ.ଇ.ଇ କମ୍ୟୁନିକେସନ ସୋସାଇଟି ଦ୍ୱାରା ବିଭିନ୍ନ ସହାୟତା ପ୍ରଦାନ କରାଯାଉଅଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉତ୍ତର ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ଏହି ଗୌରବମୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ପ୍ରତିଭାବାନ ଯୁବ ଉଦ୍ଭାବକ ମାନଙ୍କୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିବାକୁ ହାର୍ଦ୍ଦିକ ଆହ୍ୱାନ କରିବା ସହିତ ଉତ୍ତର ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ଉଦ୍ୟୋଗୀ ଏବଂ ସମସ୍ତ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ୍ ମିଡ଼ିଆର ପ୍ରତିନିଧିମାନଙ୍କ ସହଯୋଗ କାମନା କରିଛନ୍ତି । ଅଂଶଗ୍ରହଣ ପାଇଁ ଲିଙ୍କ୍ https://odishaaisummit.org/ hackathon ରେ ଆବେଦନ କରିବାକୁ ଆଞ୍ଚଳିକ ନୋଡାଲ୍ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ ସୂଚନା ଦେଇଛନ୍ତି ।

