Img 20251129 wa0203

ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ରାଜ୍ୟ
ବାରିପଦା: ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଦ୍ଵାରା ପିଏମ୍ ଉଷା ଆନୁକୁଲ୍ୟରେ ‘ଓଡ଼ିଆ ଭାଷା ଓ ସାହିତ୍ୟ ଗବେଷଣା ପଦ୍ଧତିର ପ୍ରୟୋଗବିଧି’ ବିଷୟରେ ଆୟୋଜିତ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ସାହିତ୍ୟିକା ତଥା ଗବେଷିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ଥାନୀୟ ମହନୀୟତାକୁ କିପରି ଗବେଷଣା ମାଧ୍ୟମରେ ବିଶ୍ଵଦରବାରରେ ପହଞ୍ଚାଯାଇ ପାରିବ ସେ ସମ୍ବନ୍ଧରେ ଗବେଷକମାନେ ଯତ୍ନବାନ ହେବା ଉଚିତ୍ ବୋଲି ବ୍ୟକ୍ତବ୍ୟ ରଖିଥିଲେ। ଦିଲ୍ଲୀ ଜବାହାରଲାଲ ନେହେରୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗ ସାରଳା ଚେୟାରର ପ୍ରଫେସର ଉଦୟନାଥ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଗବେଷକମାନେ ଗବେଷଣାର ଗଭୀରତମ ପ୍ରଦେଶକୁ ପ୍ରବେଶ କରିବା ଉଚିତ୍ ବୋଲି ଅଭିଭାଷଣ ରଖିଥିଲେ। ଆବାହକ ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ସମାହିତ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ଶତପଥୀ ନିଜର ସଭାପତି ଅଭିଭାଷଣରେ ଗବେଷକମାନେ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅନୁଷ୍ଠାନର ଗୌରବ ଗବେଷଣା ମାଧ୍ୟମରେ ବୃଦ୍ଧି କରିବା ପାଇଁ ଏକ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ଏ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ବିଭାଗର ସହକାରୀ ପ୍ରଫେସର ବିଚିତ୍ରନାଥ  ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad