ବାରିପଦା : ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ନାଟ୍ୟସଙ୍ଘର ମିଳିତ ଆନୁକୂଲ୍ୟରେ ତଥା ବାରିପଦା କଳାକାର ପରିବାରର ସହଯୋଗରେ ବାରିପଦାରେ ଏକ ୧୫ ଦିନିଆ ନାଟ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ଧୀର ବସାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ତାଲିମ ନେଇଥିବା ୨୦ ଜଣ ଯୁବକ ଯୁବତୀଙ୍କୁ ନେଇ ଏକ ନାଟକ ସହିଦ ଭବନରେ ମଞ୍ଚସ୍ଥ ହୋଇଥିଲା I ମାତ୍ର ଏହି କର୍ମଶାଳାରେ ସର୍ବକନିଷ୍ଠ ଶିକ୍ଷା ନବିଶ ଆୟୁଷ କୁମାର ଗିରି ଜୀବନରେ ପ୍ରଥମ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ପରବର୍ତ୍ତୀ ସମୟରେ ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷା ବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକକ ଅଭିନୟ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ହାତରେ ପୁରସ୍କୃତ ହୋଇଥିଲେ I ପ୍ରକାଶ ଥାଉକି ଆୟୁଷ ସର୍ବପ୍ରଥମେ ନାଟ୍ୟ କର୍ମଶାଳା ରେ ହିଁ ନାଟକ ଦେଖିଲେ ଓ ନାଟକ ପ୍ରତି ଆଗ୍ରହୀ ହେଲେ l ଏହି ପୁରସ୍କାର ପାଇବା ପରେ ସେ ଜଣେ ଅଭିନେତା ହେବାର ସ୍ବପ୍ନ ଦେଖିଛନ୍ତି I ଅଭିରାମ ଗିରି ଓ ମିନିସ୍ମିତା ଗିରିଙ୍କ ସୁପୁତ୍ର ଆୟୁଷ ବର୍ତ୍ତମାନ ବାରିପଦା ସ୍ଥିତ ଦେଉଳସାହି ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି I ତାଙ୍କ ଅଭିନୟ ଦେଖି ନାଟ୍ୟ କର୍ମଶାଳାର ନିର୍ଦ୍ଦେଶକ ନବୀନ ପରିଡା, ସଂଯୋଜକ ଧୀର ବଶା, କର୍ମକର୍ତ୍ତା ଜ୍ଞାନ ରଞ୍ଜନ ପଣ୍ଡା, ସନ୍ତୋଷ ମହାନ୍ତି, ପ୍ରସନ୍ନ ମହାନ୍ତି, ସୋମନାଥ ସିଂହ ପ୍ରମୁଖ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି I

