ବନ୍ତ/ଆଗରପଡ଼ା : ବନ୍ତ ଥାନା ଅଧିନ ଛୟାଳସିଂହ ପଂଚାୟତ ହାଟଡିହି ଛକ ନିକଟରେ ବସ୍ ଧକ୍କାରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବାବେଳେ ପଛରେ ବସିଥିବା ଜଣେ ଆରୋହୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିର୍ି ହୋଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ,ବାବା ବିଶ୍ୱନାଥ ନାମକ ଏକ ଘରୋଇ ବସ୍ ଆନନ୍ଦପୁର ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ବରପଦା ପଟୁ ଏକ ମୋଟର ବାଇକ୍ ଯୋଗେ ଟିଲୋ ଅଂଚଳର ଦୁଇଜଣ ଯୁବକ ବନ୍ତ ଆଡ଼କୁ ଫେରୁଥିବା ସମୟରେ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଥିଲା ।
ବାଇକ୍ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ବନ୍ତ ପୋଲିସ୍ ଏବଂ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି ।

