Photo1 for the news of fake certificate

ଜାଲ ଶିକ୍ଷକଙ୍କ ଗୁମର ଫିଟୁଛି : ଜାଲ୍ ପ୍ରମାଣପତ୍ରରେ ୧୭ ବର୍ଷ ଚାକିରି

ରାଜ୍ୟ

କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ନିବେଦନ : ଯାଂଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ

ବନ୍ତ/ଆଗରପଡ଼ା : ବର୍ଷେ କି ଦୁଇ ବର୍ଷ ନୁହେଁ ୧୭ ବର୍ଷର ଚାକିରୀ ପୁଣି ଜାଲ ପ୍ରମାଣ ପତ୍ରରେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ନହଙ୍ଗ କ୍ଲଷ୍ଟର ଅଧିନ ରଇଁତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏପରି ଘଟଣା ଘଟିଛି । କିଛି ଦିନ ତଳେ କେତେ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ତାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ଜୋର ଧରିଥିଲା । ଏବଂ ଏହି ପରିପ୍ରେକ୍ଷିରେ ସରକାର ପ୍ରମାଣପତ୍ରର କଡ଼ାକଡ଼ି ଯାଂଚ ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଂଚ ପ୍ରକ୍ରିୟା ସରିବାକୁ ଇତି ମଧ୍ୟରେ ବହୁଦିନ ବିତି ଯାଇଥିଲେ ସୁଦ୍ଧା ବିଭିନ୍ନ ଜିଲ୍ଳାରେ କେତେ ଶିକ୍ଷକ ଜାଲ ପ୍ରମାଣପତ୍ର ଧାରୀ ତାହା ବିଭାଗର ନାଲି ଫିତା ତଳେ ବନ୍ଧା ହୋଇ ରହି ଯାଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ସାମ୍ବାଦିକତା କରୁଥିବା ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସୂଚନା ଅନୁଯାୟୀ;ସେ ଭଦ୍ରକ ଜିଲ୍ଲା ସମେତ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଳକରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ବିଇଡ଼ି ପ୍ରମାଣପତ୍ରକୁ ସୂଚନା ଅଧିକାର ଆଇନବଳରେ ମାଗିଥିଲେ । ପରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ହସ୍ତଗତ ହୋଇଥିବା ପାଖାପାଖି ୧୭ଟି ବିଇଡ଼ି ପ୍ରମାଣପତ୍ରକୁ ଯାଂଚ ପାଇଁ ଜନସୂଚନା ଅଧିକାରୀ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର,ଭୁବନେଶ୍ୱରକୁ ପଠାଇଥିଲେ । ପ୍ରମାଣପତ୍ର ଗୁଡ଼ିକୁ ଯାଂଚ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କଣ୍ଟ୍ରୋଲର ଅଫ ଏକ୍ସାମିନରଙ୍କ ପକ୍ଷରୁ ୧୬ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ‘ଅସଲି’ଥିବା ପ୍ରଦାନ କରିଥିବା ବେଳେ ଗୌରାଙ୍ଗ ଚରଣ ଦାସ ନାମକ ଜନୈକ ଶିକ୍ଷକଙ୍କ ପ୍ରମାଣପତ୍ର ବିଶ୍ୱବିଦ୍ୟାଳୟର ରେକର୍ଡ଼ ଅନୁସାରେ ସଠିକ୍ ନଥିବା ଦର୍ଶାଇଥିଲେ । ଉକ୍ତ ତଥ୍ୟ ହସ୍ତଗତ ହେବା ପରେ ଶ୍ରୀ ଧଳ ସାମନ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଓ ଜାଲ୍ ପ୍ରମାଣପତ୍ରରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାର କପିକୁ ବୁଧବାର ଖଇରା ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବା ସହ ଏହାର ଯାଂଚ କରି ଜାଲ୍ ପ୍ରମାଣପତ୍ରରେ ୧୭ବର୍ଷ ଧରି ଶିକ୍ଷକତା କରୁଥିବା ଶ୍ରୀ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି;ଖଇରା ଶିକ୍ଷାବିଭାଗ ଅର୍ନ୍ତଗତ ନହଙ୍ଗ କ୍ଲଷ୍ଟର ଅଧିନ ରଇଁତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ସେପ୍ଟେମ୍ବର ୨୦୧୭ରୁ ଶିକ୍ଷକତା କରୁଥିବା ସହକାରୀ ଶିକ୍ଷକ ଗୌରାଙ୍ଗ ଚରଣ ଦାସ ୨୦୦୮ ମସିହା ମେ ମାସ ୧ ତାରିଖରେ ତାଙ୍କର ଶିକ୍ଷାଗତ ଯୋଗ୍ୟତାରେ ବିଇଡ଼ିର ପ୍ରମାଣ ପତ୍ର ଦେଇ ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ପାଇଥିଲେ । ପରେ ୨୦୧୪ରେ ନିୟମିତ ଶିକ୍ଷକ ରୂପେ ପଦୋନ୍ନତି ପାଇଥିଲେ । କିନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତାରେ ସେ ଦେଇଥିବା ବିଇଡ଼ି ପ୍ରମାଣ ପତ୍ରଟି ଭୂଲ ବୋଲି ଶ୍ରୀ ସାମନ୍ତ ଜନସୂଚନା ଅଧିକାରୀ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର,ଭୁବନେଶ୍ୱର ଠାରୁ ଜାଣିବାକୁ ପାଇଥିଲେ । ଏଠାରେ ପ୍ରଶ୍ନ ଉଠେଯେ ଶିକ୍ଷା ବିଭାଗ ସବୁ ସମୟରେ ପ୍ରମାଣ ପତ୍ରର ଯାଂଚ କରୁଥିବା ବେଳେ କିପରୀ ଜଣେ ଶିକ୍ଷକ ଜାଲ ପ୍ରମାଣପତ୍ରରେ ୧୭ ବର୍ଷ ଧରି ଶିକ୍ଷକତା କରିଆସୁଛନ୍ତି । ତେଣୁ ବିଭାଗ ପକ୍ଷରୁ ଏଥିରେ କେଉଁମାନେ ସଂପୃକ୍ତ ତାହା ଖୋଜିବାହାର କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Shrutilipi ad