କେନ୍ଦ୍ରାପଡ଼ା, (ବିକାଶ ବେହେରା): “ମାନବ ସେବା ହିଁ ମାଧବ ସେବା”—ଏହି ମହାନ ଆଦର୍ଶର ପ୍ରତୀକ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ପବିତ୍ର ଜୟନ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସମାଜସେବାକୁ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ଠାକୁରପଟଣା ସମିତି ଆନୁକୂଲ୍ୟରେ କୁଦାନଗରୀ ଭଜନମଣ୍ଡଳୀ ପରିସରରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ସମୟରେ ବାବାଙ୍କ ଫଟୋଚିତ୍ର ନିକଟରେ ଷୋଡଶ ଉପଚାର ପୂଜା ଓ ସମୂହ ଭଜନ ଗାନ କରାଯାଇଥିଲା। ବାବାଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ସମିତି ପକ୍ଷରୁ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରାଯିବା ସହ ନାରାୟଣ ସେବା (ପ୍ରସାଦ ସେବନ)ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜ୍ଞାନରଞ୍ଜନ ପାତ୍ର ଓ ଶ୍ରୀ ଅଜୟ ମହାପାତ୍ର ପ୍ରମୁଖ ନିଷ୍ଠାର ସହ ପରିଚାଳନା କରିଥିଲେ।


ଦ୍ୱିତୀୟ ପର୍ଯ୍ୟାୟରେ, ଦିବା ୧୧ ଘଟିକା ସମୟରେ କୁଦାନଗରୀ ଭଜନମଣ୍ଡଳୀର ତତ୍ତ୍ୱାବଧାନରେ ବଡବେତରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡବେତରା ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବିଶେଷ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀ କିଶୋର ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ। ଏଠାରେ ମଧ୍ୟ ବିଧିବିଧାନ ସହ ଉପଚାର ପୂଜା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଉପସ୍ଥିତ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଦିବ୍ୟ ପ୍ରବଚନ ମାଧ୍ୟମରେ ବାବାଙ୍କ ବାଣୀ ଓ ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଦରିଦ୍ର ନାରାୟଣ ସେବା। ଆୟୋଜକଙ୍କ ପକ୍ଷରୁ ଅଭାବୀ ଲୋକଙ୍କୁ କମ୍ବଳ ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ନାରାୟଣ ସେବା କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଶତାଧିକ ଭକ୍ତ ଓ ଗ୍ରାମବାସୀ ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବାବାଙ୍କ କୃପାଲାଭ କରିଥିଲେ।

