ବାରିପଦା: ସ୍ଥାନୀୟ ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l
“ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ପାଇଁ ଷ୍ଟେମ (STEM) ର ଭୂମିକା” ଥିମ ଉପରେ ଆୟୋଜିତ ଏହି ବିଜ୍ଞାନ ମେଳାର ଉଦଯାପନୀ ତଥା ପୁରସ୍କାର ବିତରଣୀ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର କଲିଆ ସଭାପତିତ୍ୱ କରିଥିଲେ l ଏଥିରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରି ଗଢିବାରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଯାନ୍ତ୍ରିକବିଦ୍ୟା ଓ ଗଣିତ ର ପ୍ରମୁଖ ଭୂମିକା ରହିଛି, ତେଣୁ ଛାତ୍ର ଛାତ୍ରୀ ମାନେ ପୁସ୍ତକଗତ ଜ୍ଞାନ ସହିତ ସୃଜନାତ୍ମକ ଦକ୍ଷତାର ବିକାଶ ପାଇଁ ଯତ୍ନବାନ ହେବାଉଚିତ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥିଭାବେ ଶିକ୍ଷକ କାମଳାଂଶୁ ତ୍ରିପାଠୀ, ମାଧୁରୀ ଦ୍ବିବେଦୀ, ତନୁଶ୍ରୀ ପାଣି, ଅର୍ଚନା ପାତ୍ର ସୁଦ୍ଦତ୍ତା ବାରିକ, ସତ୍ୟବ୍ରତ ବାରିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ପ୍ରଣତି ଦେ ପ୍ରମୁଖ ଯୋଗଦେଇଥିବା ବେଳେ ବିଶ୍ୱେଶର ଦ୍ବିବେଦୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ସିନିଅର ବିଭାଗ ରେ ଛାତ୍ରୀ ଆଦ୍ୟାଶା ଦାସ,ଶ୍ରଦ୍ଧାସୁମନ ଜେନା, ସଞ୍ଜନା ହାଁସଦା, ଜୁନିଅର ବିଭାଗରେ ବନିତା ରଣା, ନିବେଦିତା ଚାନ୍ଦ,ଦେବସ୍ମିତା ସାହୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନର ହାସଲ କରି ପୁରସ୍କୃତ ହୋଇଥିବା ବେଳେ ଅନ୍ଵେଷା ଦାସଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l

