Img 20251115 wa0283

ମୟୂରଭଞ୍ଜରେ ପାଳିତ ହେଲା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ -୨୦୨୫

ରାଜ୍ୟ
ବାରିପଦା: ମହାନାୟକ ଧର୍ତି  ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ସମଗ୍ର ଦେଶରେ ଜନଜାତିୟ ଗୌରବ ଦିବସ-୨୦୨୫ ପାଳିତ ହୋଇଯାଇଛି ଏବଂ ଏହି ସ୍ୱତନ୍ତ୍ର ଦିବସ ପାଳନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ରୁ ଏହି ଦିବସ ପାଳନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏବଂ ସମଗ୍ର ଦେଶବାସୀଙ୍କୁ ଆଭାସୀ ମାଧ୍ୟମରେ ଉଦବୋଧନ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଅନୁକୁଲ୍ୟରେ ବାରିପଦା ଛଉ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଧର୍ତି  ଆବା ଭଗବାନ ବିର୍ସା ମୁଣ୍ଡାଙ୍କ  ଜନ୍ମବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ,  ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ସମାରୋହର ଉଦ୍ଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ  ରାଜ୍ୟସଭା ସାଂସଦ ମମତା ମହାନ୍ତ,  ବିଧାୟକ, ବାରିପଦା  ପ୍ରକାଶ ସୋରେନ,   ଜିଲ୍ଲା ପରିଷଦ ଅଧ୍ୟକ୍ଷା  ଭାରତୀ ହାଁସଦା, ମୟୂରଭଞ୍ଜ ଜିଲ୍ଲlପାଳ  ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ  ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ  ଇଶ୍ୱର ଚନ୍ଦ୍ର ନାଏକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ  ଗୁରୁ ଚରଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ବୃନ୍ଦ  ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ନିଜ ଅବିଭାଷଣରେ ମାନ୍ୟବର ମନ୍ତ୍ରୀ ଡା. ମହାପାତ୍ର କହିଥିଲେଯେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନର ଗାଥା ଭାରତର ଆଦିବାସୀ ସମ୍ପ୍ରଦାୟର ମହାନ ବିପ୍ଳବୀମାନଙ୍କ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଆଦିବାସୀମାନଙ୍କ ସଂଘର୍ଷ ସୂଚାଏ ଯେ ଏ ମାଟିର ଏପରି ଏକ ସ୍ୱତନ୍ତ୍ର ପରମ୍ପରା ରହିଛି, ଯେଉଁଠାରେ କୌଣସି ସମାଜ ବା ସମ୍ପ୍ରଦାୟ ମୁଖ୍ୟସ୍ରୋତ ଠାରୁ ପୃଥକ୍ ନୁହନ୍ତି। ଅଧୁନା ଅନୁସୂଚିତ ଜନଜାତି ବର୍ଗ ଅନ୍ତର୍ଭୁକ୍ତ ବନବାସୀଗଣ ସର୍ବଦା ଭାରତୀୟ ସମୂହର ଅଂଶ ହୋଇ ରହିଆସିଛନ୍ତି।
“ଦିନ ଥିଲା, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ବିପ୍ଳବୀଗଣ ଆମ ଇତିହାସର ‘ଅନାଲୋଚିତ ନାୟକ’ ଭାବେ ପରିଗଣିତ ହେଉଥିଲେ। କିନ୍ତୁ ସାମ୍ପ୍ରତିକ ସମୟରେ ସେମାନଙ୍କ ପରାକ୍ରମ ଓ ବଳିଦାନ ଅଧିକରୁ ଅଧିକ ପ୍ରଶଂସିତ ହେଉଛି। ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫କୁ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଆଦିବାସୀ ସଂଗ୍ରାମୀ ମାନଙ୍କ ଅମର ଇତିହାସ ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ ଦ୍ୱାରା ସ୍ୱଳ୍ପାଲୋଚିତ ଆଦିବାସୀ ଇତିହାସ ଭାରତ ଇତିହାସର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତର ସର୍ବୋଚ୍ଚ ଶାସନ ପଦବୀରେଏଇ ମାଟିର କନ୍ୟା ମହାମହିମ ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ। ଆଦିବାସୀ ବର୍ଗର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ହିଁ ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଗଣଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।
ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଓ ନିର୍ଭିକତା ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ସେ କେବଳ ଇଂରେଜ ମାନଙ୍କ ଅରାଜକତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁନଥିଲେ ସେ ଉଲଗୁଲାନ ଡାକରା ଜରିଆରେ ଆଦିବାସୀ ମାନଙ୍କୁ ଏକାଠି କରି ଇଂରେଜ ମାନଙ୍କ ଅନୀତି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରୁଥିଲେ। ତତ ସହିତ ମହାମାରୀ, ଦୁର୍ଭିକ୍ଷ ଭଳି ଦୁର୍ଦଶାରେ ପୀଡିତ ମାନଙ୍କୁ ସାହାଯ୍ୟ କରୁଥିଲେ | ଏହି ଅବସରରେ ଅତିଥି ବୃନ୍ଦ ଜଙ୍ଗଲ ଜମି ଅଧିକାର ଆଇନ ଅଧୀନରେ ୧୫ ଜଣ ଭୂମି ହୀନ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ମଙ୍ଗଳ ବିଭାଗ ଓ ଆଇ ଟି ଡି ଏ ବିଭାଗର ଅଧିକାରୀ ଓ କର୍ମଚାରୀ, ଛାତ୍ର ଛାତ୍ରୀ ଏବଂ ହିତାଧିକାରୀ ଉପସ୍ଥିତ ଥିଲେ।
 ଜିଲ୍ଲା ମଙ୍ଗଳ ଅଧିକାରୀ  ଗୁରୁ ଚରଣ ମଲ୍ଲିକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ  ଆକାଶବାଣୀ ଉଦଘୋଷୀକା  ସସ୍ମିତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ l ସର୍ବ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad