Photo for the news of bricks

ମାଫିଆଙ୍କ ଟାର୍ଗେଟ୍‌ରେ ସାଳନ୍ଦୀ, ଇଟାପୋଡି଼ ଓ ବାଲି ଖନନରୁ ବଦଳୁଛି ନଦୀପଥ

ରାଜ୍ୟ

ଆଗରପଡା :ପ୍ରାକୃତିକ ବିପର୍ଯ୍ୟୟରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବନ୍ତ ବ୍ଲକ ଆଗରପଡ଼ା ଠାରେ । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦି ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନଃଦ୍ଧାର ଓ ସାଳନ୍ଦୀ ସଂଯୋଗୀକରଣ କରି ସାଳନ୍ଦୀ ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏହାର ମୁଖ୍ୟ କାରଣ ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟା ଭାଟି ଓ ବାଲି ଖନନ । ପ୍ରକାଶ ଥାଉକି;ଆଗରପଡା ଥାନା ଅଧିନ ଗୋପିନାଥପୁର,ମହାନ୍ତିପଡ଼ା,ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟ ଗୁଡ଼ିକୁ ଗତ ବର୍ଷ ୨୦୦୦ରେ ନିଲାମ କରାଯାଇଥିଲା । ନିଲାମ ପରେ ଅଂଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା ବ୍ୟକ୍ତ କରିଥିବା ବେଳେ ଏଥିରେ ବେନିୟମ ହେଉଥିବା ଅଭିଯୋଗ ନେଇ କିଛି ଦିନ ତଳେ କିଛି ପଂଚାୟତର ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ପାଇପାରି ନଥିଲେ । ଆଜି ପର୍ଯ୍ୟନ୍ତ ସରକାରଙ୍କ ପ୍ରଦତ୍ତନିୟମକୁ କେହିବି ମାନୁ ନାହାନ୍ତି । ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଦାରିତ ନିୟମଠାରୁ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଯାଉଛି । ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଘାଟ ନିଲାମ କେବଳ ପ୍ରହସନ ପାଲଟିଛି । ପ୍ରତିଦନ ଏହି ପରି ବେଧଡକ ବାଲିଖୋଳାଯାଉଥିବାରୁ ନଦୀର ଗତି ପଥରେ ପରିବର୍ତ୍ତନ ଘଟି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶିଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଉଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି । ସାଳନ୍ଦୀ ନଦୀର ପାଶ୍ୱର୍ରେ ଥିବା କାଣ୍ଡବା,ସାହୁପଡା, ଶ୍ରୀରାମପୁର, ଅମରସିଂହପୁର, ଚାରିଗାଁ, ଚକ୍ରାପାଢୀ, ଅଣିଜୋ, ଇଟୁଆ, ବିରିଡିହି ଆଦି ଗ୍ରାମଗୁଡିକରେ ଅବାଧ ବାଲି ଖନନ ଯୋଗୁଁ ଆଗକୁ ସାଳନ୍ଦୀନଦୀରେ ଲିନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅନୁରୂପ ଭାବେ ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:- ମହାନ୍ତିପଡ଼ା, ସାହୁପଡ଼ା, କାଣ୍ଡବା, ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ଇଟାଭାଟି ଜଳୁଥିବାର ଦେଖିବାକୁ ମିଳୁଛି । ଏହି ବେଆଇନ ଇଟାଭାଟି ପୋଡ଼ି ଯୋଗୁଁ ବାୟୁମଣ୍ଡଳ ପ୍ରଦ୍ୟୁଷିତ ହେବା ସହ ଇଟାଭାଟିର ଧୂଆଁ ଓ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ତହସିଲଦାର ଓ ତାଙ୍କ କର୍ମଚାରୀ ଏହି ବିଷୟରେ ଅବଗତ ଥାଇ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଓ ପରୋକ୍ଷରେ ଇଟାଭାଟି ମାଲିକମାନଙ୍କୁ ସହଯୋଗ କରୁଥିବାର ଅଭିଯୋଗ ହେଉଛି । ଇଟା ପକାଇବା ପାଇଁ ନିୟମ କାନୁନ ପ୍ରଣୟନ କରାଯାଇଥିଲେ ସୁଦ୍ଧା କେବଳ ହାତ ଗଣତି କେତେକ ଇଟାଭାଟି ମାଲିକଙ୍କ ଠାରୁ ରୟାଲିଟି ଓ ଜରିମାନା ଆଦାୟ କରି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ପ୍ରଶାସନ ପକ୍ଷରୁ ଚିମିନି ଭାଟି ଗୁଡ଼ିକୁ ବାର୍ଷିକ ଲିଜ ସୂତ୍ରରେ ଲାଇସେନ୍ସ ପ୍ରଦାନ କରାଯାଉଥିବା ବେଳେ ଏହି ସାଧାରଣ ଇଟାଭାଟି ପାଇଁ କୈାଣସି ସୁବିଧା ନାହିଁ । କେବଳ ରୟାଲିଟି ଓ ଫାଇନ ଆଦାୟ ବ୍ୟବସ୍ଥାରେ ପୋଡ଼ା ଚାଲିଛି ଶହ ଶହ ଇଟାଭାଟି । ଏହି ଫାଇନ ବ୍ୟବସ୍ଥା ପୁଣି କେତେକ ହାତଗଣତି ମାଲିକଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ ଅନେକ ଇଟା ମାଫିଆମାନେ ଲକ୍ଷ ଲକ୍ଷ ଇଟା ପୋଡ଼ି ଚାଲିଥିଲେ ମଧ୍ୟ ଇଟାମାଫିଆ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ସରକାରୀ ରେକର୍ଡ଼ ଭୁକ୍ତ ହେଉନଥିବା ଅଭିଯୋଗ ହେଉଛି । ଯାହା ଫଳରେ କିଛି ପ୍ରଶାସନିକ ଅଧିକାରୀ ଓ ଇଟା ମାଫିଆମାନେ ଏହି ବ୍ୟବସ୍ଥାକୁ ଅପଣାଇ ମାଲେମାଲ ହେଉଥିବାର ଚର୍ଚ୍ଚା ହେଉଛି । ଇଟାଭାଟି ମାଫିଆମାନେ ପ୍ରଶାସନିକ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ଜନ ବସତି ମଧ୍ୟରେ ଇଟାଭାଟି ପୋଡ଼ି ଚାଲିଛନ୍ତି ଏବଂ ଚଢାଦରରେ ଇଟା ଗୁଡ଼ିକୁ ବିକ୍ରି କରୁଛନ୍ତି । ଜନ ବସତି ନିକଟରେ ବହୁଳ ସଂଖ୍ୟାରେ ବେଆଇନ ଇଟାଭାଟି ନିର୍ମାଣ କରି ଚାଲୁଥିବାରୁ ବାୟୁମଣ୍ଡଳ ଉତ୍ତପ୍ତ ଓ ପ୍ରଦୂଷିତ ହେଉଛି । କିନ୍ତୁ ମାଫିଆମାନେ ଏହାକୁ ବେଖାତିର କରି ତାଙ୍କ ବେପାର କରିଚାଳିଛନ୍ତି । ମାଫିଆମାନଙ୍କ କବଳରୁ ପରିବେଶକୁ ରକ୍ଷା ନକରାଗଲେ ଆଗାମୀ ଦିନରେ ସାଳନ୍ଦୀରେ ଆଗରପଡ଼ା ଓ ତା ଆଖପାଖ ଅଂଜଳର ବହୁ ଗ୍ରାମ ଲୀନ ହେବା ସୁନିଶ୍ଚିତ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁୁ ସାଧାରଣରେ ଦାବି ହେଉଛି ।

Shrutilipi ad