Photo for the news of road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତା, ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ନିର୍ମାଣ କାର୍ଯ୍ୟ

ରାଜ୍ୟ

୧୦ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି

ଆଗରପଡ଼ା :ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହେବା ସହ ୧୦ବର୍ଷ ପରେବି କେବଳ ମରାମତିରେ ସୀମିତ ରହିଯାଇଥିଲା ଉକ୍ତ ରାସ୍ତା ଓ ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଖାଲି ପ୍ରତିଶ୍ରୁତି ମିଳୁଥିଲା । ବାରମ୍ବାର ଅଭିଯୋଗ ଓ ଧାରଣା ପରେ ରାସ୍ତାର ଦୂରାବସ୍ଥାରେ ସୁଧାର ଆଣିବା ନେଇ ପ୍ରତିଶ୍ରୁତି ପାଳନ ପୂର୍ବକ ବିଭାଗ ପକ୍ଷରୁ ଅଗଷ୍ଟ ମାସରୁ ବରପଦା ଠାରୁ ଆଗରପଡ଼ାକୁ ଲମ୍ବିଥିବା ପୂର୍ତ୍ତବିଭାଗ ରାସ୍ତାର ନିର୍ମାଣ କାର୍ଯ୍ୟ ପାଖାପାଖି ୧୬ କୋଟି ଟଙ୍କା ମଂଜୁର ଅର୍ଥରେ ଆରମ୍ଭ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ଓ ଲଘୁଚାପ ଜନିତ ବର୍ଷା ଲାଗି ରହିବା ହେତୁ ନିର୍ମାଣାଧିନ ରାସ୍ତାରେ ଗର୍ତ୍ତ ସବୁ ସୃଷ୍ଟି ହୋଇ ଗମନାଗମନରେ ବାଧା ସୃଷ୍ଟି ହେଉଥିଲା । ରାତ୍ରୀ ସମୟରେ ଉକ୍ତ ରାସ୍ତାରେ ଗମନାଗମନ କରିବା ମାନେ ବିପଦକୁ ଆମନ୍ତ୍ରଣ କରିବା ସଦୃଶ୍ୟ ପାଲଟିବାରୁ ଏହାର ନିର୍ମାଣ କାର୍ଯ୍ୟକୁ ଜୋରଦାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିଲା । ରାସ୍ତା ନିର୍ମାଣ ଆରମ୍ଭରୁ ବିଭାଗପକ୍ଷରୁ କୌଣସି ସୂଚନାଫଳକ ଲଗାନଯିବା,ନିମ୍ନମାନର କାର୍ଯ୍ୟ ହେବା,ପାଣି ଛିଂଚଣ ନହେବା,ସରକାରୀ ନିୟମକୁ ନମାନିବା ଆଦି ଅଭିଯୋଗମାନ ହୋଇଆସୁଥିଲେ ମଧ୍ୟ ତାକୁ ପାଳନ ନକରି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କିଛି ଦିନ ତଳେ କାର୍ଯ୍ୟକରୁଥିବା ସଂସ୍ଥା ପକ୍ଷରୁ ତରବରିଆଭାବେ ରାତିଅଧିଆ ଆଗରପଡ଼ା ପେଟ୍ରୋଲ ପମ୍ପ ଠାରୁ ଆଗରପଡ଼ା ବଜାର ଆଡ଼କୁ ପ୍ରାୟ ୫୫୦ମିଟର ରାସ୍ତାରେ ପୁଚୁ ଢଳାଯାଇଥିବା ଦେଖିବାକୁ ମିଳିଥିଲା । ବିରୋଧ ସତ୍ୱେ କେଉଁ ଉଦ୍ଦେଶ୍ୟରେ ଉକ୍ତ ରାସ୍ତାରେ ତରବରିଆ ଭାବେ ପିଚୁ ଢଳାଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ନିମ୍ନମାନର କାମକୁ ନେଇ ରାସ୍ତାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଠିକାଦାରଙ୍କ ଏହିଭଳି ମନମୁଖି କାର୍ଯ୍ୟ ବିଭାଗୀୟ ନିଷ୍କ୍ରିୟତାକୁ ପଦାରେ ପକାଇ ଦେଇଥିଲା । ବିଭିନ୍ନ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ କାର୍ଯ୍ୟସ୍ଥଳୀକୁ ଆସି ନିର୍ମାଣାଧିନ କାର୍ଯ୍ୟର ତଦାରଖ କରିଥିଲେ ଏବଂ କାର୍ଯ୍ୟରେ ଅନିୟମିତତା ହୋଇଥିବା ହୃଦ୍‌ବୋଧ କରିବା ସହିତ ତରବରିଆ ଭାବେ ପକାଯାଇଥିବା ପିଚୁକୁ ଉଠାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଠିକାଦାରଙ୍କ ଦ୍ୱାରା ଉକ୍ତ ପିଚୁକୁ ରାସ୍ତାରୁ ଉଠାଯାଇଥିଲା । ଏବଂ ଆଗାମୀ ଦିନରେ ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ କାମ କରିବାକୁ ସଂପୃକ୍ତ ଠିକାଦାରଙ୍କୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ପ୍ରାୟ ୧୦ବର୍ଷର ଅପେକ୍ଷା ପରେ ମରାମତିରେ ସୀମିତ ଥିବା ରାସ୍ତା ସ୍ଥାୟୀ ରାସ୍ତାରେ ପରିଣତ ହେବାକୁ ଯାଉଥିବାରୁ ଏହାର ନିର୍ମାଣ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ସେମାନେ ଯାହା କହନ୍ତି…

୦୧.ରାସ୍ତାର ସ୍ଥାୟିତ୍ୱକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ନିର୍ମାଣାଧିନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉଛି । ଏବଂ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ନିର୍ମାଣାଧିନ କାର୍ଯ୍ୟଚାଲିଛି । ଯଦିବି କାହାର କାର୍ଯ୍ୟରେ କୌଣସି ଅନିୟମିତତା ହେଉଥିବା ଦୃଷ୍ଟି ଗୋଚର ହେଉଛି ତେବେ କାର୍ଯ୍ୟରେ ବାଧା ସୃଷ୍ଟି ନକରି ମୋ ନଜରକୁ ଆଣିଲେ ମୁଁ ତାର ସମାଧାନ କରିବାକୁ ଚେଷ୍ଟା କରିବି ।

Photo of maheswar sahoo

(ମହେଶ୍ୱର ସାହୁ,ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ,ଭଦ୍ରକ)

୦୨.ମୋର ଉପସ୍ଥିତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ପ୍ରତି କାର୍ଯ୍ୟର ମୁଁ ନିଜେ ତଦାରଖ କରୁଛି । ଏହାପରେ ମଧ୍ୟ ଯଦି କୌଣସି ଅଭିଯୋଗ ଆସୁଛି ତାହାକୁ ମୋ ନଜରକୁ ଆଣିଲେ ମୁଁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି । ସରକାରଙ୍କ ଧାର୍ଯ୍ୟ ନିୟମାନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନା ହେବ । କାର୍ଯ୍ୟରେ କୌଣସି ସାଲିସ କରାଯିବ ନାହିଁ ।

Photo of uttam nayak

(ଉତ୍ତମ ନାୟକ,ଯନ୍ତ୍ରୀ,ପୂର୍ତ୍ତ ବିଭାଗ)

୦୩.ପ୍ରାୟ ୧୦ବର୍ଷର ଏକ ଲମ୍ବା ଅବଧି ପରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ହେବାକୁ ଯାଉଛି । ତେଣୁ ସମସ୍ତଙ୍କ ସହଯୋଗରେ ଉକ୍ତ ରାସ୍ତା ନିର୍ମାଣ ହେବା ଆବଶ୍ୟକ । ଧୂଳିଧୂଆଁରେ ଭର୍ତ୍ତୀ ୧୪କିମି ରାସ୍ତାରେ ବର୍ତ୍ତମାନ ଗମନାଗମନ କରିବା ଭାରୀ କଷ୍ଟ ସାଧ୍ୟ । ତେଣୁ ଯଥା ଶୀଘ୍ର ଉକ୍ତ ରାସ୍ତାର ନିର୍ମାଣ ହେବା ଆବଶ୍ୟକ । ତେଣୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଅଭିଯୋଗ ଆସିଲେ କାମକୁ ବନ୍ଦ ନକରି ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ସମସ୍ୟାର ଯଥାଶୀଘ୍ର ସମାଧାନ କରି କାମକୁ ସୁରୁଖୁରୁରେ ଆଗେଇ ଦେବା ଦରକାର ।

Photo of binod dhall samanta

(ବିନୋଦ ଧଳ ସାମନ୍ତ,ନିର୍ଦ୍ଦେଶକ,କଳିଙ୍ଗ କମ୍ପ୍ୟୁଟର୍ସ,ଆଗରପଡ଼ା)

Shrutilipi ad