Img 20251029 wa0164

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସାଇବର ସୁରକ୍ଷା କର୍ମଶାଳା ଉଦ୍‌ଘାଟିତ

ରାଜ୍ୟ
ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର୍ ବିଜ୍ଞାନ ବିଭାଗ ଦ୍ୱାରା ସାଇବର ସୁରକ୍ଷା ଉପରେ ଏକ ତିନିଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ “ସାଇବର୍ କ୍ରାଇମ୍ ଓ ଡିଜିଟାଲ୍ ଆରେଷ୍ଟ: ଅନଲାଇନ୍ ସୁରକ୍ଷା ପାଇଁ ଆଇନ ଏବଂ ପ୍ରଯୁକ୍ତିର ମାର୍ଗ” ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ୍ ଯୁଗର ବିଭିନ୍ନ ବିପଦରୁ ବର୍ତ୍ତିବା ପାଇଁ ସଚେତନ କରିବ ଓ ସମାଜର ସବୁବର୍ଗର ଲୋକଙ୍କୁ ସଚେତନ କରିବାକୁ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି କହିଥିଲେ । ଆଗାମୀ ଦିନରେ ସାଇବର ସୁରକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧ ବୋଲି ସେ କହିଥିଲେ । ଚାନ୍ଦିପୁର ଡି.ଆର୍‌.ଡି.ଓ ଆଇ.ଟି.ଆର୍‌ର ଅତିରିକ୍ତ ନିର୍ଦ୍ଦେଶକ ଡ. ନୀଳାଦ୍ରି ରୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ସାଇବର୍ କ୍ରାଇମ୍‌କୁ ଆଧୁନିକ ସମାଜର ସବୁଠାରୁ ବଡ଼ ବିପଦ ରୂପେ ଅଭିହିତ କରି ଆଇନ, ପ୍ରଯୁକ୍ତି ଏବଂ ସଚେତନତାର ସଂଯୋଗ ଦ୍ୱାରା ଆମେ ଏହାକୁ ନିୟନ୍ତ୍ରଣ କରି ଏକ ନିରାପଦ ଡିଜିଟାଲ୍ ଭାରତ ନିର୍ମାଣ କରିବାକୁ ଚେଷ୍ଟିତ ହେବାକୁ କହିଥିଲେ । ଡିଜିଟାଲ୍ ଆରେଷ୍ଟ ଭଳି ନୂତନ ଧରଣର କ୍ରାଇମ୍‌ଗୁଡ଼ିକର ବିରୁଦ୍ଧରେ ସଜାଗ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ସାଇବର୍ ସୁରକ୍ଷାର ମୌଳିକ ଜ୍ଞାନ ଦେବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର କାର୍ଯ୍ୟସୂଚୀରେ ଏଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ଏହି କାର୍ଯ୍ୟକ୍ରମ ସମୟପୋଯୋଗୀ ବୋଲି କହିଥିଲେ । କାର୍ଯ୍ୟକ୍ରମର ଆବାହକ ତଥା କମ୍ପ୍ୟୁଟର୍ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହ-ଆବାହକ ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ସହ-ଆବାହକ ରୂପେ ବିଭାଗୀୟ ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି ଓ ଡ. ପାର୍ଥସାରଥୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିନିଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପଶ୍ଚିମବଙ୍ଗର ସାଇବର୍ କ୍ରାଇମ୍ ବ୍ରାଞ୍ଚ୍‌ର ଡେପ୍ୟୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ ଶ୍ରୀ ବିଦିତ ମଣ୍ଡଳ, ଭୁବନେଶ୍ୱର ଏନ୍‌ଆଇସିର ବରିଷ୍ଠ ନିର୍ଦ୍ଦେଶକ ଡ. ଏ. କେ. ଷଡ଼ଙ୍ଗୀ, ଆଇଆଇଟି ଧାନବାଦର ଡ. ଡି. ରମେଶ, ଡ. ଅରୁପ କୁମାର ପାଲ, ଡ. କେ. ମଣ୍ଡଳ, ଏନ୍‌ଆଇଟି ସିକ୍କିମର ଡ.ସଂଗ୍ରାମ ରାୟ, ଏନ୍‌ଆଇଟି ରାୟପୁର ଡ. ଏମ୍‌. ଦାସଗୁପ୍ତା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଶ୍ରୀ ଏସ୍‌. କେ. ଖୁଣ୍ଟିଆ, ଆକ୍‌ସେଞ୍ଚର ଭୁବନେଶ୍ୱରର ଶ୍ରୀ ସୋମେନ୍‌ ଦାସ, ଓଡ଼ିଶା ହାଇକୋର୍ଟ୍‌ର ଅଧିବକ୍ତା ଶ୍ରୀ ଏସ୍‌ ପଣ୍ଡା ଓ ବାରିପଦା ପୋଲିସ୍‌ର ସାଇବର ୱିଙ୍ଗ୍‌ର ଅଧିକାରୀଗଣ ନିଜର ବକ୍ତବ୍ୟ ରଖିବେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏଵଂ ବିଶ୍ଵବିଦ୍ୟାଳୟ ଓ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
Shrutilipi ad