Screenshot 2025 10 17 105946 652x430

ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍

ରାଜ୍ୟ

ପୁରୀ: ଖୁବଶୀଘ୍ର ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍। ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ ଆଗ୍ରହୀ ଅନୁଷ୍ଠାନ ଏନେଇ ପ୍ରସ୍ତାବ ଦେବାକୁ ଜାରି ଅବଧିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପୁରୀ ସମୁଦ୍ରକୂଳ ନିକଟରେ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଛି। ପ୍ରସ୍ତାବଗୁଡ଼ିକୁ ନଭେମ୍ବର ୪ ତାରିଖରେ ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ପ୍ରସ୍ତାବ ଗ୍ରହଣ ଅବଧି ଗତ ମାସ ୩୦ ତାରିଖ ଓ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୩୦ ତାରିଖ ହେବାର ଥିଲା। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ନିମନ୍ତେ ଯୋଜନା କରୁଛି।

ସୂଚନାଥାଉକି, ପୁରୀ ରେଳ ଷ୍ଟେସନ ନିକଟ ନୀଳାଚଳ ଅର୍ବାନ ହାଟ ସମ୍ମୁଖ ଜମିରେ ମେଗା ସାମୁଦ୍ରିକ୍‌ ଆକ୍ୱାରିୟମ ପ୍ରକଳ୍ପ କରିବାକୁ ୨୦୦୯ ଭିତ୍ତିପ୍ରସ୍ତର ପଡ଼ିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ଦେଇଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ପ୍ରକଳ୍ପ ଅନୁରୂପ ପ୍ରକଳ୍ପକୁ ଏଠାରେ କରିବାକୁ ଯୋଜନା ଥିଲା। ଏହି ସ୍ଥାନ ସମୁଦ୍ରକୂଳ ଠାରୁ ମାତ୍ର ୨୦୦ ମିଟର ଦୂର। ଏଥିନିମନ୍ତେ ୫ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ହେଲେ ପ୍ରକଳ୍ପ ହୋଇପାରିଲା ନାହିଁ।

Shrutilipi ad