ଭୁବନେଶ୍ୱର (୧୦/୧୦) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ ବୋଲି ପୂଜାପୂଜା, ଓଡ଼ିଶା ପକ୍ଷରୁ ଆୟୋଜିତ ଏକ ମାସିକ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି। ଲେଖକ ସମବାୟ ସମିତି ପରିସରରେ ବିରଜା ଶତପଥୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
ଏହି ଅବସରରେ, ମୁଖ୍ୟଅତିଥି ତଥା ବକ୍ତା ଭାବେ ଯୋଗଦାନ କରି ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିଆରୀ ବିଭିନ୍ନ ଉଦାହରଣ ମାଧ୍ୟମରେ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ଜୀବନଶୈଳୀ ଏବଂ ତାଙ୍କ ନିଃସ୍ୱାର୍ଥପର ସେବା ବିଷୟରେ ଆଲୋଚନା କରିଥିଲେ। ସେ ଉପସ୍ଥିତ ଶ୍ରୋତାମାନଙ୍କୁ ଗୋପବନ୍ଧୁଙ୍କ ଦେଶପ୍ରେମ, ତ୍ୟାଗ ଏବଂ ସମାଜ ସୁଧାର ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ।
ସଂପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗୋପବନ୍ଧୁଙ୍କୁ “ବିଶ୍ୱ ମଣି” ଭାବେ ପ୍ରତିପାଦିତ କରିଥିଲେ। ସେ କହିଥିଲେ ଯେ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱ ଏବଂ ଦର୍ଶନ କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱ ପାଇଁ ପ୍ରାସଙ୍ଗିକ।
ଅନ୍ୟତମ ବକ୍ତା ବିଜୟ କୁମାର ମହାନ୍ତି ଏବଂ ଡକ୍ଟର ଆରତି କର ଗୋପବନ୍ଧୁଙ୍କ ସାହିତ୍ୟ, ସାମ୍ବାଦିକତା ଏବଂ ସମାଜସେବା ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ। ସେମାନେ ଗୋପବନ୍ଧୁଙ୍କ ଲେଖା ମାଧ୍ୟମରେ ସମାଜରେ ଆଣିଥିବା ପରିବର୍ତ୍ତନ ଏବଂ ତାଙ୍କ ସାମ୍ବାଦିକତା କିପରି ସ୍ୱାଧୀନତା ସଂଗ୍ରାମକୁ ଉତ୍ସାହିତ କରିଥିଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବିରଞ୍ଝି ନାରାୟଣ ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ର ଉପସ୍ଥିତ ସମସ୍ତଙ୍କୁ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏକ ପ୍ରେରଣା ଯୋଗାଇଥିଲା।

